ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ଉପଖଣ୍ଡସ୍ତରୀୟ କମିଟି ଓ ତହସିଲ ସ୍ତରୀୟ ଏନଫୋର୍ସମେଣ୍ଟ କମିଟି ଗଠନ କରାଯାଇଛି ।  ଉପଖଣ୍ଡସ୍ତରୀୟ କମିଟିରେ ଉପଜିଲ୍ଲାପାଳ ପାନପୋଷ ଅଧ୍ୟକ୍ଷ ଅଛନ୍ତି । ଏହା ସହିତ ଏସଡିପିଓ, ଏସସିଏଫ, ତହସିଲଦାର, ଥାନା ଅଧିକାରୀମାନେ ସଦସ୍ୟ ଓ ମାଇନିଙ୍ଗ ଅଧିକାରୀଙ୍କୁ ସଂଯୋଜକ ରଖାଯାଇଛି । ସେହିପରି ତହସିଲ ସ୍ତରୀୟ କମିଟିରେ ତହସିଲଦାର ଅଧ୍ୟକ୍ଷ ଅଛନ୍ତି । ରେଞ୍ଜ ଅଧିକାରୀ ଓ ସଂପ୍ରୁକ୍ତ ଅଂଚଳର ଆଇଆଇସି ମାନେ ସଦସ୍ୟ ଏବଂ ମାଇନିଙ୍ଗ ଅଫିସର କିମ୍ବା ଜୁନିୟର ମାଇନିଙ୍ଗ ଅଫିସର ସଂଯୋଜକ ରହିଛନ୍ତି । ଏହି ପରିପ୍ରେକ୍ଷିରେ କମିଟି ଗଠନ ହେଲା ପରେ ଗୁରୁବାର ଦିନ ଉପଖଣ୍ଡ ସ୍ତରୀୟଏନଫୋର୍ସମେଣ୍ଟ କମିଟି ପ୍ରଥମ ବୈଠକ ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପାନପୋଷ ଉପଖଣ୍ଡରେ ବାଲି, ପଥର, ଚିପ୍ସ , ମେଟାଲ ଆଦିର ଚୋରା ଚାଲାଣ ରୋକିବା ପାଇଁ ପୋଲିସ ଓ ରାଜସ୍ୱ ବିଭାଗ ମିଳିତ ଭାବରେ କାର୍ଯ୍ୟ କରିବ ଓ ଏନଫୋର୍ସମେଣ୍ଟକୁ ଆହୁରି ମଜବୁତ କିପରି କରିପାରିବ ସେ ଦିଗର ଆଲୋଚନା କରାଯାଇଥିଲା । ଉପଜିଲ୍ଲାପାଳ ଲଘୁ ଖଣିଜ ପଦାର୍ଥର ବହୁଳ ବ୍ୟବହାର ହୋଉଥିବାର ଏହାର ଚୋରା ଚଲାଣ ଉପରେ କଟକଣା ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ଏସଡିପିଓ ପାନପୋଷ ଅମ୍ବିତ ମହାନ୍ତି , ଏସଡିପିଓ ବିରମିତ୍ରପୁର ସୁଶାନ୍ତ ଦାସ, ମାଇନିଙ୍ଗ ଅଧିକାରୀ ଅଜୟ କୁମାର ଗିରି ସମେତ ବିଭିନ୍ନ ଥାନାର ଥାନ ଅଧିକାରୀ, ଅତିରିକ୍ତ ତହସିଲଦାରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.