ଭୁବନେଶ୍ୱର – କଟକ କମିଶନରେଟ୍‌ ପୋଲିସ ଅଧୀନରେ ଭରତପୁର ଥାନା ଏବେ ବଦନାମର ଚର୍ଚ୍ଚା ଜୋର ଧରିଛି

  • ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନ୍ୟାୟ କେବେ ମିଳିବ ?

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର – କଟକ କମିଶନରେଟ୍‌ ପୋଲିସ ଅଧୀନରେ ଥିବା ଭରତପୁର ଥାନା ଏବେ ବଦନାମର ଚର୍ଚ୍ଚା ଜୋର ଧରିଛି । ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନ୍ୟାୟ କେବେ ମିଳିବ ? ବୋଲି ସର୍ବତ୍ର ମହଲରେ ଅସନ୍ତୋଷର କ୍ଷୋଭ ପ୍ରକାଶ ପାଇଛି । ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯ୍ୟାତନା ଓ ଅତ୍ୟାଚାର ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତିଲାଣି । ସମୟ ଯେତିକି ଗଡ଼ି ଚାଲିଛି ନୂଆ ନୂଆ କଥା ସବୁ ସାମ୍ନାକୁ ଆସିବାରେ ଲାଗିଛି । ଗତ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଜଘନ୍ୟକାଣ୍ଡରେ ଗୁରୁବାର ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ (ଡ଼ିଜି) ଦ୍ୱାଇ. ବି. ଖୁରାନିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ସେନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏକ ନୂଆ ମାମଲା ରୁଜୁ କରାଯିବ । ଉକ୍ତ ମାମଲା ଆଧାରରେ ଗୁରୁଭନ୍ସ ଏବଂ ତାଙ୍କ ବାନ୍ଧବୀଙ୍କୁ ଯେଉଁମାନେ ରାସ୍ତାରେ ଦୁର୍ବ୍ୟବହାର କରିଥିଲେ ସେମାନଙ୍କୁ ଚିହ୍ନଟ କରାଯିବ । ଏହାପରେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ିଜି କହିଛନ୍ତି । ଡ଼ିଜିଙ୍କ ଏଭଳି ମନ୍ତବ୍ୟ ପରେ ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ଯେଉଁ କାମ ପ୍ରଥମେ କରିବାର ଥିଲା ସେକଥା ହେଲାନାହିଁ । ଏବେ ପୋଲିସର ଅମାନବୀୟ ଏବଂ ଆପରାଧିକ କାର୍ଯ୍ୟକଳାପ ଧୀରେ ଧୀରେ ସାମ୍ନାକୁ ଆସିବା ପରେ ଡ଼ିଜି ମୂଳ ପ୍ରସଙ୍ଗକୁ ଯିବା ନେଇ ସନ୍ଦେହ ସୃଷ୍ଟି କରୁଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଏହି ଘଟଣାରେ ପୋଲିସକୁ ବଞ୍ଚାଇବା ଲାଗି ସର୍ବୋଚ୍ଚ ଅଧିକାରୀଙ୍କ ଉଦ୍ୟମ । ଭୁବନେଶ୍ୱର – କଟକ କମିଶନରେଟ୍‌ ଅଧୀନରେ ଭରତପୁର ଥାନା ଆସୁଛି । ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହି ଥାନାର ମୁଖ୍ୟଅଧିକାରୀ । ତେଣୁ ଯଦି ଭରତପୁର ଥାନାରେ କିଛି ଘଟଣା ଏଭଳି ଘଟିଲା ଏହାର ପରଦିନ ହିଁ ପୋଲିସ କମିଶନର ସାମ୍ନାକୁ ଆସି ଘଟଣାକୁ ଗୁରୁତର ସହ ବିଚାର କରିବାର ଆବଶ୍ୟକତା ଥିଲା । ହେଲେ ଏ ଯାଏଁ ପୋଲିସ କମିଶନର ଏ ବାବଦରେ ପଦୁଟିଏ ନ କହିବା ନାନା ପ୍ରକାର ପ୍ରଶ୍ନ ସୃଷ୍ଟି କରୁଛି । ଗତ ଶନିବାର ବିଳମ୍ବିତ ରାତିରେ ଗୁରୁଭନ୍ସ ଏବଂ ଅଙ୍କିତା ପଟିଆରୁ ଫେରିବା ସମୟରେ ଗୋଟିଏ ଗାଡ଼ିକୁ ଓଭରଟେକ୍‌ କରି ଆଗକୁ ବଢ଼ିଥିଲେ । ଏହାପରେ ହଠାତ୍‌ ଉକ୍ତ ଗାଡ଼ି ସହ ଆଉ ୨ଟି ଗାଡ଼ିରୁ କେତେଜଣ ଯୁବକ ବାହାରି ଉଭୟ ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ଧକ୍କା ମାରିବା ସହ ଦୁର୍ବ୍ୟବହାର କରିଥିଲେ । ଏ ସମ୍ପର୍କରେ ଗୁରୁଭନ୍ସ ତାଙ୍କ ବାନ୍ଧବୀଙ୍କୁ ନେଇ ଅଭିଯୋଗ କରିବାକୁ ଭରତପୁର ଥାନାଠାରେ ପହଞ୍ଚିଥିଲେ । ଏହି ଅଭିଯୋଗ କରିବାକୁ ଯାଇ ଉଭୟେ ଭରତପୁର ଥାନା ଅଧିକାରୀ ଓ କର୍ମଚାରୀଙ୍କ ନିର୍ୟାତନା ଏବଂ ଆକ୍ରମଣର ଶିକାର ହୋଇଥିଲେ । ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଏତେ ବିଳମ୍ବରେ ପୋଲିସ ଡ଼ିଜି ଆସି ସେହି କଥା କହୁଛନ୍ତି । ହେଲେ ପୋଲିସ ଅଧିକାରୀମାନେ ସବୁ ପ୍ରକାର ବେଆଇନ୍ କାର୍ଯ୍ୟକରି ଅଙ୍କିତାଙ୍କ ବିରୋଧରେ ବିଭିନ୍ନ ମିଛ ଦଫା ଲଗାଇ ତାଙ୍କୁ ପ୍ରଥମେ ଜେଲ୍‌ରେ ପୂରାଇଦେଲେ । ଏହାପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଗଲା ଏବଂ ହାଇକୋର୍ଟ ଘଟଣାର ସ୍ଥିତି ପରଖିବା ସହ ଭର୍ତ୍ସନା କଲେ । ଏହାପରେ ପୋଲିସ ଡ଼ିଜି ହସ୍ତକ୍ଷେପ କରି ଗୁରୁଭନ୍ସ ଏବଂ ଅଙ୍କିତା ଯେଉଁ ଅଭିଯୋଗ କରିବାକୁ ଯାଇଥିଲେ ସେ କଥାକୁ ସେ ଗୁରୁତ୍ୱ ଦେଉଛନ୍ତି । ଡିଜିଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟର ବିଭିନ୍ନ ଥାନାରେ ଲୋକଙ୍କୁ କିପରି ନ୍ୟାୟ ମିଳୁଥିବ ସେକଥା ମଧ୍ୟ ବୁଝାପଡ଼ିଯାଉଛି । କାରଣ ଭରତପୁର ଥାନାର ଘଟଣା ଭଳି ସବୁ ବିଷୟ ଏଭଳି ଲୋକଲୋଚନକୁ ଆସିପାରୁ ନାହିଁ । ବର୍ତ୍ତମାନ ସମୟରେ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ରାସ୍ତାରେ ଯେଉଁମାନେ ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ବିଷୟରେ ତଥ୍ୟ ମିଳିଥିବା କଥା କୁହାଯାଉଛି । ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ଥାନାରେ କରାଯାଇଥିବା ଅତ୍ୟାଚାର ଓ ବେଆଇନ୍ କାର୍ଯ୍ୟକଳାପ ବିଷୟରେ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରିବାକୁ କୁହାଯାଇଥିଲା । ହେଲେ ଡିଜି ରୋଡ୍‌ ରୋମିଓଙ୍କୁ ଧରିବା ବିଷୟ କହିବା ଏବଂ ଏହାପରେ କ୍ରାଇମ୍‌ ବ୍ରାଞ୍ଚ ସେହି ବିଷୟରେ ମତ ରଖିବା ଏସବୁ କଥା ସ୍ପଷ୍ଟ କରୁଛି ପୋଲିସକୁ ଏହି ଘଟଣାରୁ ବଞ୍ଚାଇବା ଲାଗି ଏକ ସୁଚିନ୍ତିତ ଯୋଜନା ଆରମ୍ଭ କରାଯାଇଛି । କ୍ରାଇମ୍‌ ବ୍ରାଞ୍ଚର ତଦନ୍ତ କେଉଁଠି ପହଞ୍ଚିଲା ସେନେଇ ମତ ନେବାକୁ ଏହି ଘଟଣାରେ ଦାୟିତ୍ୱ ପାଇଥିବା ଡ଼ିଏସ୍‌ପି ନରେନ୍ଦ୍ର ବେହେରାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରି ନାହିଁ । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ)ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଜାତୀୟ ମହିଳା କମିଶନ ଏନେଇ ଡ଼ିଜିପିଙ୍କୁ ନୋଟିସ ଦେଇଛନ୍ତି । ଏହି ପ୍ରସଙ୍ଗରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ୩ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଅଧିକାରୀ ଓ କର୍ମଚାରୀ ଏଭଳି ଘଟଣା ଘଟାଇଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ଏନ୍‌.ସି.ଡବ୍ଲ୍ୟୁ ଆଶା କରିଛନ୍ତି । ଏତେସବୁ ହେବା ପରେ ମଧ୍ୟ ଉକ୍ତ ଥାନା କର୍ମଚାରୀମାନଙ୍କୁ ବଞ୍ଚାଇବା ଲାଗି ରାଜ୍ୟ ପୋଲିସ କାହିଁକି ଉଦ୍ୟମ ଜାରି ରଖିଛି ସେକଥା ଜଣାପଡୁନାହିଁ । ସୂଚନାଯୋଗ୍ୟ, ଭରତପୁର ଥାନାରେ ଘଟିଥିବା ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ସେହି ଥାନାର ପୂର୍ବତନ ଆଇ. ଆଇ. ସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ଜଣଙ୍କୁ ନିଲମ୍ବନ କରାଯାଇଛି । ହାଇକୋର୍ଟ ଅଙ୍କିତାଙ୍କୁ ବେଲ୍‌ ଦେଇ ସାରିଥିବା ବେଳେ ସେ ଏବେ ଏମ୍ସ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.