oom

ମୋବାଇଲ ଦୋକାନରୁ ଚୋରୀ ଘଟଣାରେ ଲୁଟେରାଙ୍କୁ ବାନ୍ଧିଲା ପୋଲିସ : ୧୩ ମୋବାଇଲ ଜବତ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ଦ୍ୱାରା ଜଣେ ମୋବାଇଲ ଲୁଟେରା ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ହେଲେ ଉକ୍ତ ଥାନା ପ୍ଳିହେରୀର ସୂର୍ଯ୍ୟ ପ୍ରଧାନ (୧୯) ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା ଇନଚାର୍ଜ କନକ କୁମାର ମାଝୀ କହିଛନ୍ତି । ପୋଲିସ ଗିରଫ ଯୁବକଠାରୁ ବିଭିନ୍ନ କମ୍ପାନୀର ନୂଆ ମୋବାଇଲ ୧୩ ଟି ଜବତ କରିବା ସହ ଚୋରିରେ ବ୍ୟବହୃତ ଫ୍ଲାସ, କଟର, ସ୍କ୍ର୍ୟୁ ଡ୍ରାଇଭେର ଏବଂ ଏକ ବ୍ୟାଗକୁ ପୋଲିସ ଜବତ କରିଛି । ମୋବାଇଲର ଦାମ ପ୍ରାୟ ୭୦ହଜାର ହେବ ବୋଲି ଡିଏସପି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ମେ ୨ରେ ଦାରିଙ୍ଗବାଡି ବଜାର ଉପରେ ରହିଥିବା ଏକ ମୋବାଇଲ ଦୋକାନରୁ ବିଳମ୍ବିତ ରାତିରେ ତାଲା କାଟି ମୋବାଇଲ ଚୋରି ହୋଇଯାଇଥିବା ମୋବାଇଲ ଦୋକାନ ମାଲିକ ଅଜିତ କୁମାର ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ଦାରିଙ୍ଗବାଡି ପୋଲିସ ଗୁରୁତର ସହ ନେବା ସହ ଘଟଣାକୁ ନିଜେ ଇନଚାର୍ଜ ଦାୟିତ୍ୱରେ ରହିଥିବା ଡିଏସପି କନକ କୁମାର ମାଝୀ ତଦନ୍ତ ଦାୟିତ୍ୱ ନେଇଥିଲେ । ତାଙ୍କୁ ଏ ଏସ ଆଇ ନିବାସ ରେଡ୍ଡୀ, ଅର୍ଜୁନ ଶବର ତଦନ୍ତରେ ସହଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଓ ଫୋନ ଟ୍ରାକ କରି ସୂର୍ଯ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଡିଏସପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ପୋଲିସ କେଶ ନଂ. ୯୬/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକା ତଦନ୍ତ ଅବ୍ୟାହତ ରଖିଛି ।

jittmm
Leave A Reply

Your email address will not be published.