କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତି ଭାବେ ଯୋଗଦେଇ କହିଥିଲେ ଯେ, ବର୍ଷ ସାରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ କର୍ମଚାରୀମାନେ ସଫା କରିଥାନ୍ତି । କିନ୍ତୁ ଆଜିର ଦିନ ତାଙ୍କର ମାନ ସମ୍ମାନ ରଖି, ଏଥିରେ ଜାତି ଭେଦ, ବାଛ ବିଚାର ନ କରି ସଫେଇ କର୍ମଚାରୀଙ୍କ ସହ ଏକତ୍ର ବସି ଖାଇବା ପିଇବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପରିଷଦବର୍ଗଙ୍କୁ ଅଧ୍ୟକ୍ଷ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ପରେ ସମସ୍ତ ସଫେଇ କର୍ମଚାରୀଙ୍କୁ ମଧ୍ୟ ଅଧ୍ୟକ୍ଷ ଉତ୍ତରୀୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା, ଶ୍ରୀନିବାସ ପଟ୍ଟନାୟକଙ୍କ ସମେତ କର୍ମଚାରୀ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ନୃପରାଜ ଯାଦବ ସହ ପରିଷଦବର୍ଗ ତଥା କିଛି ଗଣମାଧ୍ୟମ ପ୍ରତିନିଧି, ବିଜେପି ପ୍ରତିନିଧି ମିଶି ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଥିଲେ । ଶେଷରେ ନୃସିଂହ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।