ସଇଁନ୍ତଲା, (ପ୍ରମୋଦ ସେଲ୍ମା) : ବରନି ସାହିତ୍ୟ ସଂସଦର ବଛର୍କିଆ ତିହାର୍ ବଡ଼ମାଲ ସ୍ଥିତ ମଲ୍ଟି ପର୍ପଜ୍ କମ୍ୟୁନିଟି ହଲ୍ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ଅଧିବେଶନ ବରନି ସାହିତ୍ୟ ସଂସଦର ସଭାପତି ରାଜମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଗୋଳାବାରୁଦ କାରଖାନାର ମହାପ୍ରବନ୍ଧକ ଅଜୟ କୁମାର ସିଂହ ଯୋଗଦାନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ସଂପାଦକ କବି ଆନଂଦ ଚଂଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରେଖା ପଧାନ ଏବଂ ସମ୍ମାନିତ ବକ୍ତା ଭାବେ ବଡ଼ମାଲ କାର୍ଯ୍ୟ ପ୍ରବନ୍ଧକ ହିମାଂଶୁ କୁମାର ତ୍ରିପାଠୀ ଯୋଗଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ମା’ ସରସ୍ୱତୀ ଏବଂ ବର୍ନି ବୁଢ଼ାଙ୍କ ଠାରେ ଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାଗତ ସଂଗୀତ ପରିବେଷଣ ପରେ ଅତିଥି ପରିଚୟ ଏବଂ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ସାହିତ୍ୟିକ ଡ.ଗୋବର୍ଦ୍ଧନ ସାହୁ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା । ସାହିତ୍ୟିକ ଡ. ଗୋବର୍ଦ୍ଧନ ସାହୁ, ସାହିତ୍ୟ ସାଧିକା ଆହ୍ଲାଦିନୀ ଦାଶ ପାଣିଗ୍ରାହୀ, ଶିଶୁ ସାହିତ୍ୟିକା ସୁଶ୍ରୀ ସବିତା ଭୋଇ, ସମାଜସେବୀ ତଥା ସାରସ୍ୱତ ପୁରୁଷ ନନ୍ଦକିଶୋର ସାହୁଙ୍କୁ ସମ୍ମାନିତ କରିଥିଲେ ଅତିଥିବୃନ୍ଦ । ମୁଖ୍ୟ ଅତିଥି ଗୋଳାବାରୁଦ କାରଖାନାର ମହାପ୍ରବନ୍ଧକ ଶ୍ରୀ ସିଂହ ଭାଷାର ପ୍ରାଧାନ୍ୟ ଉପରେ ଆଲୋକପାତ କରି ସାହିତ୍ୟ ସମାଜର ହିତ ସାଧନ କରୁଥିବା ବିଷୟରେ ଆଲୋକପାତ କରିଥିବା ବେଳେ ମୁଖ୍ୟବକ୍ତା ଶ୍ରୀ ସାହୁ ସାଂପ୍ରତିକ ସମୟରେ ଯୁଦ୍ଧର ଘନଘଟା ଭିତରେ ବିଶ୍ୱ ଶାନ୍ତି ପାଇଁ ସାହିତ୍ୟିକଙ୍କ ଆନ୍ତରିକ ପ୍ରାର୍ଥନା ଏବଂ ସାହିତ୍ୟିକଙ୍କ ଭାବ ଜଗତ ଉପରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ସମାଜକୁ ସୁଦୃଢ଼ କରିବା କ୍ଷେତ୍ରରେ ସାହିତ୍ୟର ଗୁରୁ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ଅଧିବେଶନରେ କବିତା ଆସର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ଗୌତମ ଖେତି ସଭାପତିତ୍ୱ କରିଥିଲେ । ଅତିଥି ଭାବେ ସାହିତ୍ୟିକ ବିରଂଚି ନାରାୟଣ ଦାଶ ଏବଂ ଦେବେନ୍ଦ୍ର ନାଏକ ଯୋଗଦାନ କରିଥିଲେ । କବିତା ସଂଯୋଜନାର ଦାୟିତ୍ୱ ଗ୍ରହଣ କରିଥିଲେ କବି ଅର୍ଜୁନ ସାହୁ, ସବିତା ମହରା ଏବଂ ସବିତା ଭୋଇ । ପ୍ରାୟ ୬୦ରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିଲେ ଏହି କବିତା ଆସରରେ । ତେବେ ଏହି ଉତ୍ସବ ଆୟୋଜନରେ ସଂଜୀବ କୁମାର ସାହୁ, ଉମେଶ କୁମାର ସାହୁ, ସଂଜୀବ କୁମାର ମିଶ୍ର, ସୁରେନ୍ଦ୍ର ବିଶ୍ୱାଳ, ହେମନ୍ତ ତାଣ୍ଡି, ଚିନ୍ତାମଣି ମଲ୍ଲିକ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।