ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲାରେ ଭୋଟର୍ ତାଲିକାର ସଂକ୍ଷିପ୍ତ ସଂଶୋଧନ ପାଇଁ ସଚେତନତା ଉପଲକ୍ଷେ ମହାସମାରୋହରେ ପଥ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ପଦଯାତ୍ରା, ରଙ୍ଗୋଲି, ସେଲ୍ଫି ପଏଣ୍ଟ, ସ୍ୱାକ୍ଷର କାନଭାସ, ମ୍ୟୁଜିକ ଚେଆର, କୁଇଜ୍, ଚିତ୍ରାଙ୍କନ, କାନ୍ଦଣା ଇତ୍ୟାଦି ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏକତା ଛକରେ ଏକ ସାଧାରଣ ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ, ଅତିଥିଗଣ, ଜନସାଧାରଣ ଯୋଗ ଦେଇଥିଲେ । ସଭାପତି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ, ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏପିଡି ଯୋଗେଶ୍ୱର ଭୋଇ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟି କଲେକ୍ଟର ଡ. ସବ୍ୟସାଚୀ ସାହୁ, ହେମନ୍ତ ପୁଟା, ସଭାର ଆବାହକ ଡେପୁଟି କଲେକ୍ଟର ନିର୍ବାଚନ ଶେଖ୍ ନସୀମ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ୨ ଜଣ ବରିଷ୍ଠ ପୁରୁଷ ଓ ମହିଳା ମତଦାତା ଏବଂ ୨ ଜଣ ଯୁବା ମତଦାତା ଓ ଜଣେ ଅବସରପ୍ରାପ୍ତ ସୈନିକ ମତଦାତାଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥଲେ । ପ୍ରଭାତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୱାକାଥନ୍କୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ, ପୁରୁଷ ମହିଳା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଓ ଏହାକୁ ଉପଭୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର କୁରୁକ୍ଷେତ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମାହାର, ବରିଷ୍ଠ ରାଜସ୍ୱ ସହାୟକ ବିଭୁ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ । ପାଗ ଅନୁକୂଳ ଥିବାରୁ ପଥ ଉତ୍ସବକୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ । ଯୁବା ମତଦାତାଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
Prev Post