
ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ସମ୍ପର୍କରେ ଅଧିକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ମଙ୍ଗଳବାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରୀମାନଙ୍କ ମଧ୍ୟରେ ପ୍ରଚାରପତ୍ର ତିଆରି, ମହିଳା ସଶକ୍ତିକରଣ ବନାମ ସୁଭଦ୍ରା ଯୋଜନା ବିଷୟକୁ ନେଇ ଓଡ଼ିଆ ଏବଂ ଇଂରାଜୀ ବିଷୟରେ ବିତର୍କ, ରଙ୍ଗୋଲି ପ୍ରତିଯୋଗିତା ସହିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ସମସ୍ତ ପ୍ରତିଯୋଗିତା ଆୟୋଜନ କରିବାରେ ଅଧ୍ୟାପିକା ରାମେଶ୍ୱରୀ ଭୋଇ ଏବଂ ଅଧ୍ୟାପକ ସମୀର ସୌରଭ ପୃଷ୍ଟିଙ୍କ ନେତୃତ୍ୱରେ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପିକା ବାସନ୍ତୀ କୁଜୁର, ମନିଶା ନାୟକ, ଆମି ଜେ କୁଜୁର, ଅନିତା ଜୈନ, ଡ. ରଞ୍ଜିତା ଓରାମ, ରଜନୀ କିସାନ, ପି. ସୋନାଲି ମୌସୁମୀ, ଡ. ରଞ୍ଜନା ରାଣୀ ଦାସ ଏବଂ ଡ. ପଙ୍କଜିନୀ ବେହେରା ଏବଂ ଅଧ୍ୟାପକ ସୁରତ ଗିରି ଦାୟିତ୍ୱ ତୁଲାଇଥିଲେ । ଏହି ସମସ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି ।