oom

ଯୁବ ଛାତ୍ର ସମାଜର ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଗଣଦୃଷ୍ଟି ପାଠଶାଳା ଆୟୋଜିତ

jsmm
  • ପିଲାଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ ଅଭିଭାବକ ଓ ଗୁରୁଜନ

ବରଗଡ଼, (ନିରୋଜ କୁମାର ପାଣୀ) : ଏକବିଂଶ ଶତାବ୍ଦୀରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଗମ୍ଭୀର ପ୍ରସଙ୍ଗ ପାଲଟିଛି । ନିକଟରେ ସଂସଦରେ ଭାରତ ସରକାରଙ୍କ ଅର୍ଥନୈତିକ ରିପୋର୍ଟରେ ମଧ୍ୟ ଦେଶରେ ଛାତ୍ର ଓ ଯୁବକଙ୍କ ମଧ୍ୟରେ ବଢୁଥିବା ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସତର୍କ କରାଯାଇଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଗଣଦୃଷ୍ଟି ମିଡ଼ିଆ ପକ୍ଷରୁ ଗତ ସନ୍ଧ୍ୟାରେ ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାରଠାରେ ଗଣଦୃଷ୍ଟି ପାଠଶାଳା ଆୟୋଜିତ ହୋଇଯାଇଛି । ବରିଷ୍ଠ ଆଇନଜୀବି ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଶାଳାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ମାନସିକ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଡ଼ାକ୍ତର ପ୍ରବୀଣ କୁମାର ସାହୁ ଏବଂ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଗବେଷଣାରତ ଛାତ୍ରୀ ପ୍ରତୀକ୍ଷା ସାହୁ ଆଲୋଚକ ଭାବରେ ଯୋଗ ଦେଇଥିଲେ । ଆଲୋଚକ ଡ଼ାକ୍ତର ସାହୁ ମାନସିକ ସମସ୍ୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ପିଲାଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ବାପା ମାଆ ଓ ଗୁରୁଜନଙ୍କ ବିଶେଷ ଦାୟିତ୍ୱ ରହିଛି । ଛୋଟ ଶିଶୁ ମାଟି ପିଣ୍ଡୁଳା ସଦୃଶ । ଜଣେ କୁମ୍ଭକାର ଯେପରି ମାଟିରେ ନିଜ ଆକୃତିର ମାଟି ପାତ୍ର ଗଢିଥାଏ ଠିକ୍‌ ସେହିପରି ପିଲାଙ୍କ ଭବିଷ୍ୟତ ନିର୍ମାଣ ଓ ବ୍ୟକ୍ତିତ୍ୱର ବିକାଶ ତାର ଅଭିଭାବକଙ୍କ ଉପରେ ନିର୍ଭର କରେ । ସେଥିପାଇଁ ପିଲାଙ୍କ ମନର ଭାବନାକୁ ସମ୍ମାନ ଦେବାକୁ ପଡ଼ିବ ବୋଲି ଡ଼ାକ୍ତର ସାହୁ କହିଥିଲେ । ଅନ୍ୟତମ ଆଲୋଚିକା ପ୍ରତୀକ୍ଷା ସାହୁ ନିଜ ଜୀବନର ଅନୁଭବର କଥା କହିଥିଲେ । ଏହି ଅବସରରେ ଆଲୋଚକ ଦ୍ୱୟଙ୍କୁ ଗଣଦୃଷ୍ଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗଣଦୃଷ୍ଟିର ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ପାଠଶାଳାର ସଂଯୋଜକ ସରୋଜ ମହାପାତ୍ର ଅତିଥି ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସୌମ୍ୟାଶ୍ରୀ ପ୍ରଧାନ ପାଠଶାଳାର ସଂଯୋଜନା କରିଥିଲେ । ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ସାମ୍ବାଦିକ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ଯୋଗଦେଇ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.