ରାଉରକେଲାରେ ‘ଶ୍ରୀ ସତ୍ୟସାଇ ରନ୍ ଆଣ୍ଡ୍ ରାଇଡ୍’ର ଭବ୍ୟ ଆୟୋଜନ

​ ୨୮୦୦ ପ୍ରତିଯୋଗୀଙ୍କ ମଧ୍ୟରେ ଦେଖାଦେଲା ପ୍ରବଳ ଉତ୍ସାହ ଓ
ଉଦ୍ଦୀପନା

  • ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ଅବସରରେ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’
    ବିଧାୟକ ଦୁର୍ଗା ତାନ୍ତୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପତାକା ହଲାଇ ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ): ଶ୍ରୀ ସତ୍ୟସାଇ ସେବା ସଂଗଠନ, ରାଉରକେଲା ସମିତି ଆନୁକୂଲ୍ୟରେ ୨୧ ଡିସେମ୍ବର (ରବିବାର) ଦିନ ବିର୍ସାମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍, ବିସ୍ରା ଛକଠାରେ ‘ଶ୍ରୀ ସତ୍ୟସାଇ ରନ୍ ଆଣ୍ଡ୍ ରାଇଡ୍’ ମାରାଥନ୍ ଏବଂ ସାଇକେଲ୍ ରାଲି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ସମାରୋହ ଉପଲକ୍ଷେ ଦେଶର ୬୦ଟି ସହରରେ ଏହି କାର୍ଯ୍ୟକ୍ରମ ଏକାସଙ୍ଗେ ଆୟୋଜନ କରାଯାଇଥିଲା । ଯାହା ଭାରତ ସରକାରଙ୍କ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ସହ ଜଡ଼ିତ ରହିଥିଲା । ରାଉରକେଲାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରାୟ ୨୮୦୦ରୁ ଅଧିକ ପ୍ରତିଯୋଗୀ ଏହି ‘ରନ୍ ଆଣ୍ଡ୍ ରାଇଡ୍’ରେ ଅଂଶଗ୍ରହଣ କରିଥିଲେ । ସକାଳ ୬:୩୦ ମିନିଟରେ ମାରାଥନର ଶୁଭାରମ୍ଭ ହୋଇଥିଲା । ରାଉରକେଲା ବିଧାୟକ ଦୁର୍ଗାଚରଣ ତନ୍ତୀ ଏବଂ ଚାମ୍ବର ଅଫ୍ କମର୍ସର ପୂର୍ବତନ ସଭାପତି ଶୁଭ ପଟ୍ଟନାୟକ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଅଂଶ ଗ୍ରହଣକାରୀମାନେ ୩ କି.ମି. (ସେକ୍ଟର-୨୧), ୫ କି.ମି. (ସେକ୍ଟର-୨) ଏବଂ ୧୦ କି.ମି. (ଆମବାଗାନ ଛକ) ଦୂରତା ଅତିକ୍ରମ କରି ପୁଣି ଷ୍ଟାଡିୟମକୁ ଫେରିଥିଲେ । ​ଏହି କାର୍ଯ୍ୟକ୍ରମ ଅବସରରେ ବରଗଡ଼ ଜିଲ୍ଲାରୁ ଆସିଥିବା କଳାକାରମାନେ ଘୁମୁରା, ଢୋଲ-ମହୁରୀ ଏବଂ ପାରମ୍ପରିକ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସଭାପତି ମନୋଜ ରଥ, ସଂଯୋଜକ ବିଜୟ କୁମାର ମହାପାତ୍ର, ପ୍ରସନଞ୍ଜିତ ଦାସ, ପ୍ରଫେସର ହୃଷୀକେଶ ନାୟକ, କରୁଣାକର ପଟେଲ, ଲିଲି ପଟେଲ, ବିଭୂତି ପଟ୍ଟନାୟକ ଏବଂ ସାହେବ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଏହି ଆୟୋଜନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.