ଛାତ୍ରୀ ସୁରକ୍ଷା ବିଷୟକୁ ନେଇ ପ୍ରଶାସନର ଦ୍ୱାରସ୍ଥ ହେଲା ଏବିଭିପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଛାତ୍ରୀ ସୁରକ୍ଷା ବିଷୟକୁ ନେଇ ପଦ୍ମପୁର ପ୍ରଶାସନ ପାଖରେ ଦାବିପତ୍ର ପ୍ରଦାନ କରାଯାଇଛି । ବିଗତ ଦିନରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଭଳି ଗୌରବଶାଳୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀ ନିର୍ଯ୍ୟାତନା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମାତ୍ର କିଛି ମାସ ପୂର୍ବରୁ ଅଞ୍ଚଳ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଏହିଭଳି ଏକ ଘଟଣାରେ ନିଲମ୍ବିତ ହୋଇଛନ୍ତି । ବର୍ତ୍ତମାନ ଏହିସବୁ ଘଟଣାକୁ ନେଇ ଛାତ୍ରୀମାନେ କଲେଜ ଯିବା ପାଇଁ ଅସୁରକ୍ଷିତ ମନେ କରୁଛନ୍ତି । ସେଥିପାଇଁ ଏବିଭିପି ପଦ୍ମପୁରର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିବା ସହ ଛାତ୍ରୀ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛି । ଅଞ୍ଚଳ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଫ୍ଲାଇଓଭରରେ ଆଜି ପର୍ଯ୍ୟନ୍ତ ଆଲୋକୀକରଣ କରାଯାଇ ନାହିଁ, ଯାହା ଫଳରେ କଲେଜ କ୍ୟାମ୍ପସ ଥିବା ସତ୍ତ୍ୱେ ସେ ସ୍ଥାନଟି ସନ୍ଧ୍ୟା ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟୁଛି । ସନ୍ଧ୍ୟାରେ ଫ୍ଲାଇଓଭର ତଳୁ ଚାଲିକି ଯିବା ପାଇଁ ଛାତ୍ରୀମାନଙ୍କୁ ସମସ୍ୟା ହେଉଛି । ଅନେକ ଛାତ୍ରୀ ବିଭିନ୍ନ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ତେଣୁ ସେଠାରେ ଯଥାଶୀଘ୍ର ଆଲୋକୀକରଣ କରିବା ସହ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପ୍ରଶାସନକୁ ଅନୁରୋଧ କରିଛି ଏବିଭିପି । ଏହାଛଡ଼ା ପୋଲିସର ପେଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରିବା ସହ ମହିଳା ମହାବିଦ୍ୟାଳୟ ଅଞ୍ଚଳରେ କଲେଜ ଚାଲିଥିବା ସମୟରେ ପୋଲିସ ମୁତୟନ ପାଇଁ ମଧ୍ୟ ଏବିଭିପି ଅନୁରୋଧ କରିଛି । ଆଗାମୀ ସମୟରେ ପଦ୍ମପୁରର ଉଭୟ କଲେଜରେ ଛାତ୍ରୀ ସୁରକ୍ଷା ବିଷୟକୁ ନେଇ କିଭଳି ସଚେତନତା କାର୍ଯ୍ୟକ୍ରମ କରାଯାଇପାରିବ, ସେ ବିଷୟରେ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଓ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସହ ଚର୍ଚ୍ଚା କରିଛି । ସମଗ୍ର ରାଜ୍ୟରେ ଚର୍ଚ୍ଚା ଓ ଚିନ୍ତାର ବିଷୟ ପାଲଟିଥିବା ଛାତ୍ରୀ ସୁରକ୍ଷା ; ଗୋଟିଏ ଦାୟିତ୍ୱବାନ ଛାତ୍ର ସଂଗଠନ ଭାବରେ ଏବିଭିପିର କର୍ତ୍ତବ୍ୟ ବୋଲି ସଂଗଠନ ତରଫରୁ ମତ ବ୍ୟକ୍ତ କରାଯାଇଛି ଓ କଲେଜ କ୍ୟାମ୍ପସ ଭିତରେ ସମସ୍ତ ଛାତ୍ରୀମାନଙ୍କ ସୁରକ୍ଷାର ଦାୟିତ୍ୱ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ନିଜେ ନେଇଛନ୍ତି । ଏବିଭିପି ପଦ୍ମପୁର ନଗର ସମ୍ପାଦକ ପ୍ରତ୍ୟୁଷ କୁମାର ଦାସଙ୍କ ନେତୃତ୍ୱରେ ନଗର ସହ ସମ୍ପାଦକ କିରଣ କୁମାର ବାଗ, ସହ ସମ୍ପାଦିକା ନିରୂପମା ଭଗତ, ଅଞ୍ଚଳ କଲେଜ ଶାଖା ସଭାପତି ଆଦିତ୍ୟ ବନଛୋର, ଉପସଭାପତି ବାଦଲ ମେହେର, ଯୋଗେଶ ବେହେରା, କଲେଜ ଛାତ୍ରୀ ପ୍ରମୁଖ ମନୀଷା ସାହୁ, ମୁକେଶ ଯାଦବ, ଅଭିଷେକ ଦଣ୍ଡସନା, ଅର୍ଚ୍ଚନା ପ୍ରଧାନ, ଟେଭାବତୀ ବୁଡ଼େକ, ଶୈଳେଶ ସାହୁ, ଚୈତନ୍ୟ ପଣ୍ଡା, ପ୍ରଜ୍ୱଳ ମହାରଣା ତଥା ଅଞ୍ଚଳ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହି କର୍ତ୍ତୃପକ୍ଷଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.