ଆତ୍ମ ସମର୍ପଣ କଲେ ୧୧ ମାଓବାଦୀ

ଭବାନୀପାଟଣା, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ମାଓମୁକ୍ତ ଟାର୍ଗେଟ ରହିଛି । ଏହି ପରିପ୍ରେକ୍ଷୀରେ ରବିବାର ଭବାନୀପାଟଣା ପୋଲିସ ବ୍ୟାରେକରେ ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ବଂଶଧାରା, ଘୁମୁସର ଓ ନାଗାବଳି ଡିଭିଜନର ୧୧ ଜଣ ମାଓବାଦୀ ହିଂସା ତ୍ୟାଗ କରି ଆତ୍ମ ସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣ ମହିଳା ମାଓବାଦୀ ଏବଂ ୪ ଜଣ ପୁରୁଷ ମାଓବାଦୀ ରହିଛନ୍ତି । ଯେଉଁଥିରେ ଜଣେ ଡିଭିଜନାଲ କମିଟି ମେମ୍ବର, ୫ ଜଣ ଏରିଆ କମିଟି ମେମ୍ବର ଏବଂ ୫ ଜଣ ପାର୍ଟି ମେମ୍ବର ରହିଥିବା ସୂଚନା ମିଳିଛି । ଗୋଟିଏ ଏକେ ୪୭ ରାଇଫଲ, ୪ଟି ଏସ ଏଲ ଆର ରାଇଫଲ, ଗୋଟିଏ ଇନସା ରାଇଫଲ, ୪ଟି ସିଙ୍ଗିଲ ସଟ ରାଇଫଲ ଏବଂ ଗୋଟିଏ ୧୨ ବୋର ଗନ ସହ ସେମାନେ ଆତ୍ମସମର୍ପଣ କରିଥିଲେ । ହିଂସା ମାର୍ଗ ତ୍ୟାଗକରି ଆତ୍ମ ସମର୍ପଣ କରିଥିବା ଏହି ୧୧ ଜଣ ମାଓବାଦୀଙ୍କୁ ପୁଲିସ ଡିଜି ଶ୍ରୀ ଖୁରାନିଆ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସ୍ୱାଗତ କରିଥିଲେ । ଓଡିଶା ପୁଲିସ ଦ୍ୱାରା ଭବାନୀପାଟଣା ପୋଲିସ ବ୍ୟାରେକ ଠାରେ ଆୟୋଜିତ ମାଓବାଦୀ ଆତ୍ମ ସମର୍ପଣ ସମାରୋହରେ ଶ୍ରୀ ଖୁରାନିଆ ଆଜି ବଂଶଧାରା, ଘୁମୁସର ଏବଂ ନାଗା ବଳି ଡିଭିଜନର ଅନ୍ତ ଘଟିଲା ବୋଲି ପ୍ରକାଶ କରିଥିଲେ । ଏହା ସହ କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାର ବୋଡର ଅଞ୍ଚଳର ଘଞ୍ଚ ଜଙ୍ଗଲରେ ପ୍ରାୟ ୧୫ ଜଣ ମାଓବାଦୀଙ୍କ ଏକ ଛୋଟ ଦଳ ଥିବା ଡିଜି ପ୍ରକାଶ କରିଥିଲେ । ଗଣମାଧ୍ୟମ ଜରିଆରେ ଶ୍ରୀ ଖୁରାନିଆ ସେହି ମାଓବାଦୀ ମାନଙ୍କୁ ମଧ୍ୟ ହିଂସା ତ୍ୟାଗକରୀ ମୁଖ୍ୟସ୍ରୋତରେ ସାମିଲ ହୋଇ ଆତ୍ମସମର୍ପଣ କରି ମିଳୁଥିବା ସରକାରୀ ସୁବିଧା ପାଇବାପାଇଁ ଅନୁରୋଧ କରିଥିଲେ । ବର୍ତ୍ତମାନ ସେହି ମାଓବାଦୀ ମାନଙ୍କ ନିକଟରେ କେବଳ ଦୁଇଟି ବିକଳ୍ପ ରହିଛି ଗୋଟିଏ ହିଂସା ତ୍ୟାଗକରୀ ମୁଖ୍ୟ ସ୍ରୋତରେ ସାମିଲ ହେବା ଏବଂ ଅନ୍ୟ ବିକଳ୍ପ ହେଉଛି ପୁଲିସ ସହ ସମ୍ମୁଖୀନ ହୋଇ ଅନ୍ତ ଘଟିବ ବୋଲି ଶ୍ରୀ ଖୁରାନିଆ କହିଥିଲେ । ଏହି ଆତ୍ମ ସମର୍ପଣ ସମାରୋହରେ ଡିଜି ୱାଇ ବି ଖୁରାନିଆଙ୍କ ସହ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଏଡିଜି ସଂଜୀବ କୁମାର ପଣ୍ଡା, ଆଇଜି ଅପରେସନ ଦୀପକ କୁମାର, ସିଆରପିଫ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି ଅଖିଳେଶ୍ୱର ସିଂ, କନୱର ବିଶାଳ ସିଂ, କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା, ନୂଆପଡା ଏବଂ ନବରଙ୍ଗପୁର ଏସପି ଓ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.