ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୁଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ତରଫରୁ କୁକ୍ କମ୍ ଆଟେଣ୍ଡେଣ୍ଟ(ସିସିଏ) ମାଧବ ଶବରଙ୍କୁ ବିନା କାରଣରେ ଚାକିରୀରୁ ବାହାର କରିଥିବା ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଯୁବକ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଗତ ୨୦୧୬ରୁ ବୋଡ଼େନ ଥାନା ରୋକାଲ ଗାଁର ମାଧବ ଶବର ଏକ ଘରୋଇ ସ୍କୁଲରେ ପିଅନ ଭାବେ କାମ କରୁଥିଲେ । ଗତ ୨୦୨୦ରେ ସିଲଦାସ୍ଥିତ ଅନ୍ଵେଷା ହଷ୍ଟେଲରେ କୁକ୍ କମ୍ ଆଟେଣ୍ଡେଣ୍ଟ ଭାବେ ନିଯୁକ୍ତ ହୋଇଥିଲେ ।୨୦୨୩ ଅଗଷ୍ଟ ୨୦ରେ ତାଙ୍କୁ ଖଡ଼ିଆଳ ଅନ୍ଵେଷା ହଷ୍ଟେଲକୁ ବଦଳି ହୋଇଥିଲା । ସେଠାରେ ମାଧବ ସୁରୁଖୁରୁରେ ନିଜ କାମ କରୁଥିଲେ । ଏହି ଚାକିରୀରେ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ଗତ କିଛିମାସ ତଳେ ହଷ୍ଟେଲ ଅଧିକ୍ଷକ ତାଙ୍କୁ ଅଯଥାରେ ହଇରାଣ ହରକତ କରୁଥିଲେ । ଏହାକୁ ମାଧବ ପ୍ରତିବାଦ କରିବାରୁ ତାଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ । ସେହିପରି ଅଯଥାରେ ଅନ୍ଵେଷା ହଷ୍ଟେଲରୁ ମାଧବଙ୍କୁ ଚୋରି କରିଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷ ମିଛ ଅଭିଯୋଗ ଆଣିଥିଲେ । ଏହି ମିଛ ଅଭିଯୋଗ ଉପରେ ମାଧବ ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଜଣାଇଥିଲେ ସୁଦ୍ଧା ସେମାନେ ନିରବ ରହିଥିଲେ । ପରେ ମାଧବ ଚାକିରୀ ହରାଇ ଅସହାୟ ହୋଇପଡ଼ିଥିଲେ । ମାଧବଙ୍କୁ ପୁଣିଥରେ ସିସିଏ ଚାକିରୀରେ ନିୟୋଜିତ କରିବାକୁ ଅନୁରୋଧ କରିଥିଲେ ବି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଇନଥିଲେ । ଆଜି ମଧ୍ୟାହ୍ନରେ ମାଧବ ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କୁ ସାକ୍ଷାତ କରି ତାଙ୍କୁ ପୁନଃ ନିୟୋଜିତ କରିବାକୁ ଗୁହାରୀ କରିଥିଲେ । ହେଲେ ବିଭାଗୀୟ ଅଧୂକାରୀ ସନ୍ତୋଷଜନକ ଉତ୍ତର ନଦେବାରୁ ହତାଶ ଓ ନିରାଶ ହୋଇ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣି ଅଫିସ ଭିତରେ ଦେହରେ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହି ସମୟରେ ଅଫିସ ଭିତରେ କର୍ମଚାରୀମାନେ ମାଧବଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ । ନୂଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ । ସେଠାରେ ଅଧିକ ପଚରାଉଚୁରା କରି ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି । ଏବେ ମାଧବଙ୍କୁ ସିସିଏ ପଦବୀରେ ପୁନଃ ନିଯୁକ୍ତି ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭୋଇଙ୍କୁ ପଚାରିବାରୁ, ଖଡ଼ିଆଳ ଅନ୍ଵେଷା ହଷ୍ଟେଲରେ ମାଧବ କାମ କରୁଥିଲେ । ସେଠି ସଠିକ ଭାବେ କାମ କରୁନଥିବା ରିପୋର୍ଟ ହୋଇଥିଲା । ଏହା ସର୍ଭିସ ପ୍ରୋଭାଇଡର ସଂସ୍ଥାକୁ ଜଣାଇଥିଲୁ । ଏହା ଉପରେ କୌଣସି ନିଷ୍ପଭି ନେବା ପୂର୍ବରୁ ଆଜି ହଠାତ୍ ଆସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହା ଉପରେ ଜିଲ୍ଲାପାଳଙ୍କୁ ଜଣାଇ ଦେଇଛୁ ବୋଲି ସେ କହିଥିଲେ ।

Leave A Reply

Your email address will not be published.