ଘରୋଇ କଳିକୁ ନେଇ ପଙ୍ଖାରେ ଶାଢ଼ୀ ଦେଇ ଆତ୍ମହତ୍ୟା କଲେ ମହିଳା : ହତ୍ୟା ଅଭିଯୋଗ ଆଣିଲେ ବାପା ଘର ପରିବାର ଲୋକେ, ଅଭିଯୁକ୍ତ ସ୍ୱାମୀଙ୍କୁ କୋର୍ଟ ଚାଲାଣ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ଥାନା କୁଆଁରଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ନିର୍ୟାତନା ସହି ନ ପାରି ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ମହିଳାଙ୍କ ନାମ କଳ୍ପନାମୟୀ ତ୍ରିପାଠୀ(୨୫) ସ୍ୱାମୀ ଶୁଭାଂଶୁ ଶେଖର ତ୍ରିପାଠୀ ଘର ସଇଁତଲା ଥାନା କୁଆରଗାଁ ବୋଲି ଜଣାପଡିଛି । ଖବର ପାଇ ଟିଟିଲାଗଡ଼ ଏସ୍ଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଲା ଥାନା ଅଧିକାରୀ ଅବନୀ କୁମାର ସାହୁ, ଏସ୍ଆଇ ସଂଗୀତା ବେକ, ଆଲୋକ ଭୋଇ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ପଠାଯାଇଛି । ଏଥିରେ ଥାନା କେସ ନଂ ୭୮/୨୩ରେ ମାମଲା ରୁଜୁ କରି ସ୍ୱାମୀ ଶ୍ରୁଭ୍ରାଂଶୁ ତ୍ରିପାଠୀଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରି ଶୁକ୍ରବାର ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଛି । ପ୍ରକାଶ ଯେ, କୁଆରଗାଁର ସଚିକାନ୍ତ ତ୍ରିପାଠୀଙ୍କ ପୁଅ ଶୁଭ୍ରାଂଶୁ (୩୦) ଗତ ୨୩ ଏପ୍ରିଲ ୨୦୧୮ ମସିହାରେ ବଲାଙ୍ଗିର ସହରର ରାମେଶ୍ୱର ନଗର ସ୍ବର୍ଗତ ଗୋବିନ୍ଦ ଷଡ଼ଙ୍ଗୀଙ୍କ ଝିଅ କଳ୍ପନାମୟୀଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ବିଭିନ୍ନ ସମୟରେ କଳ୍ପନାଙ୍କୁ ଶ୍ୱଶୁର ଘର ଲୋକେ ବାଇକ ଓ ୧ ଲକ୍ଷ ଟଙ୍କା ଯୌତୁକ ଦାବୀ କରିବା ସହ ବାରମ୍ବାର ଶାରୀରିକ ନିର୍ୟାତନା ଦେଉଥିଲେ ବୋଲି ୨୦୨୦ ମସିହାରେ ସଇଁତଲା ଥାନାରେ ଅଭିଯୋଗ ପରେ ଆପୋଷ ବୁଝାମନା ହୋଇଥିଲା ବୋଲି ଝିଅର ଭାଇ ରଶ୍ମି ରଞ୍ଜନ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଗତ ୬ ତାରିଖ ଗୁରୁବାର ଘଟଣା ଦିନ ସକାଲୁ ମୃତ ମହିଳାଙ୍କ ସହ ଶାଶୁ ଶଶୁରଙ୍କ ଝଗଡା ହୋଇଥିଲା । ଏହାପରେ ୧୦ଟା ସମୟରେ ଶୁଭ୍ରାଂଶୁ ସଇଁତଲାକୁ ପୁଅର ଆଧାର କାର୍ଡ ଆଣିବାକୁ ଯାଇଥିବା ବେଳେ ଘରେ କେହି ନ ଥିବାରୁ ସ୍ତ୍ରୀ ଗାଁ ପୋଖରୀରୁ ଗାଧୋଇ ଆସି ଘରେ କବାଟ ଦେଇ ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ । ଖବର ପାଇ କଳ୍ପନାଙ୍କ ବାପା ଘର ଲୋକେ କୁଆରଗାଁରେ ପହଂଚି ପାରିପାଶ୍ୱିର୍କ ସ୍ଥିତିକୁ ଦେଖି କଳ୍ପନାକୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ସଇଁତଲା ଥାନାରେ ଠାରେ କଳ୍ପନାଙ୍କ ବାପା ଘର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ଶୁଭାଂଶୁଙ୍କୁ ଗାଁରେ କୌଣସି କାମଧନ୍ଦା ନ ମିଳିବାରୁ ଅହମଦାବାଦକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ବର୍ତମାନ କଳ୍ପନାଙ୍କ ୩ ବର୍ଷର ଶିଶୁପୁତ୍ର ଥିବା ଜଣାଯାଇଛି । ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ସଂଗୀତା ବେକ ଘଟଣାର ତଦନ୍ତ କରୁଛନ୍ତି ।