
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଗୁଣପୁର ଫାଣ୍ଡି ଅଧିନ ପଲାଡୁମେର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ କର୍ଲାପାଟ ଗ୍ରାମର ଉଜଳ ମାଝୀଙ୍କ ପୁଅ ନରେନ୍ଦ୍ର(୨୨) ନିଜ ଶ୍ୱଶୁର ଘରକୁ ଯାଇ ରହିଥିବା ବେଳେ ଶୁକ୍ରବାର ରାତିରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ । ଏହାପରେ ନରେନ୍ଦ୍ରଙ୍କ ଭାଇ ସୁରେନ୍ଦ୍ର ମାଝୀ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଜାଣିବାକୁ ସାଇଣ୍ଟିଫିକ୍ ଟିମକୁ ଅପେକ୍ଷା କରିଛି । ଏନେଇ ଥୁଆମୂଳ ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି । ଆଜି ସାଇଣ୍ଟିଫିକ୍ ଟିମ୍ ଅନୁଧ୍ୟାନ ପରେ ଓ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।