ବାରିକ ଘରକୁ ଅତିଥି ହୋଇ ଆସିଲେ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ଅପରାହ୍ନ ପ୍ରାୟ ୫.୩୦ ସମୟରେ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ଅଞ୍ଚଳକୁ ଅଚାନକ ଗ୍ରସ୍ତ କରିଥିଲେ । ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର ନିଶ୍ଚିନ୍ତପୁର ଗ୍ରାମରେ ସ୍ମୃତି ରଞ୍ଜନ ବାରିକଙ୍କ ଘରେ ଅତିଥି ହେବାକୁ ଯାଇ ତାଙ୍କ ଘରେ ପହଞ୍ଚିଥିଲେ । ଛଅ ମାସ ତଳେ ବାରିକଙ୍କ ଝିଅ ଜନ୍ମ ଦିନ ସମ୍ପର୍କରେ ସେ ରାଜ୍ୟପାଳଙ୍କୁ ଜଣାଇଥିଲେ । ହେଲେ ରାଜ୍ୟପାଳ ସେତେବେଳେ କଥା ଦେଇଥିଲେ ଆଉ ଦିନେ ତମ ଘରକୁ ଯିବେ ବୋଲି କାରଣ, ସେଦିନ ରାଜ୍ୟପାଳଙ୍କ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା । ପ୍ରତି ଦଶଦିନରେ ଥରେ କ୍ଷୌର କରିବାକୁ ଯାଉଥିଲେ । ମହାମହିମଙ୍କ କ୍ଷୌର କରୁଥିବା ବାରିକ ସ୍ମୃତି ରଞ୍ଜନଙ୍କୁ ଦେଇଥିବା କଥା ରକ୍ଷା କରି ମଙ୍ଗଳବାର ଦିନ ତାଙ୍କ ଘରକୁ ଅତିଥି ହୋଇ ଆସିଥିଲେ, ରାଜ୍ୟପାଳ । ଅତିଥି ହୋଇ ଆସିବା ପରେ ପରିବାର ଲୋକଙ୍କ ପାଦ ତଳେ ଲାଗୁ ନଥିଲା । ପୋଡପିଠା ଠାରୁ ଆରମ୍ଭ କରି ବିଭିନ୍ନ ପିଠା ଆଉ ଶୁଖିଲା ଖାଦ୍ୟ ଯତ୍ନରେ ବନାଇଥିଲେ ପରିବାର ଲୋକେ । ବିଭିନ୍ନ ଫଳ ମଧ୍ୟ ସଜାଇ ପ୍ଲେଟରେ ରଖିଥଲେ । ଦୁଆର ମୁହଁରେ ପିଢ଼ା ପାଣି ରଖି ଫୁଲ ଦୀପ ଦାନି ଧରି ଅପେକ୍ଷା କରିବା ପରେ ଅତିଥି ପହଞ୍ଚି ଥିଲେ । ହୁଳହୁଳି ଶଙ୍ଖଧ୍ଵନି ପ୍ରକମ୍ପିତ ହୋଇଥିଲା ଗ୍ରାମଦାଣ୍ଡ । ଗ୍ରାମବାସୀ ମୃଦଙ୍ଗଖୋଳ କରତାଳ ବଜାଇ ପାଛୋଟି ଆଣିଥଲେ ଗ୍ରାମକୁ ଆସିଥିବା ମହାମହିମ ରାଜ୍ୟପାଳଙ୍କୁ । ଘରେ ପ୍ରାୟ ୧୫ମିନିଟ ରହିବା ମଧ୍ୟରେ କୁନି ଝିଅଟିକୁ କୋଳରେ ବସାଇ ରାଜ୍ୟପାଳ ଆଶୀର୍ବାଦ କରିଥିଲେ । ସମସ୍ତଙ୍କ ସହିତ ଫୋଟୋ ଉଠାଇବା ପରେ ସମସ୍ତଙ୍କୁ ଆଶୀର୍ବାଦ କରି ସେ ବିଦାୟ ନେଇଥିଲେ । ଏହି ସମୟରେ ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୁରକ୍ଷା ଦାୟିତ୍ୱ ନେବା ସହ କମିଶନରେଟ ପୋଲିସ ପକ୍ଷରୁ ମହାମହିମଙ୍କ ଗସ୍ତ ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଗ୍ରାମବାସୀ ଓ ବାରିକଘର ପରିବାର ବହୁତ ଖୁସି ହୋଇଥିଲେ ।

Leave A Reply

Your email address will not be published.