
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟତ୍ମିକ ଚେତନରେ ପର୍ଯ୍ୟବସିତ ଏହି ଗଣପର୍ବ ହୋଲି ଓ ଦୋଳଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରମେମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କୁ ଦୋଳ ଶୋଭାଯାତ୍ରା ଉତ୍ସବ ଓ ହୋଲି ପର୍ବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ । ଏହି ଅବସରରେ ଡେଲାଙ୍ଗ ବ୍ଲକ୍ର ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ, ଉଲ୍ଲାସ, ରଙ୍ଗର ସହିତ ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଡେଲାଙ୍ଗର ଆଠଦେଶ ଠାକୁର ଶ୍ରୀ ଶ୍ରୀ ସୋମନାଥ ଦେବ, ଶ୍ରୀ ଶ୍ରୀ ରାଧାକାନ୍ତ ଦେବ, ଶ୍ରୀ ଶ୍ରୀ ବଣିବକ୍ରେଶ୍ୱର ଦେବ, ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ ଦୋଳ ବିମାନରେ ବସି ବାଜା, ବାଣ, ଶଙ୍ଖ, ତୁରୀ, ଅଲଟ, ଚାମ୍ବର, ଛତି, ସୁଶୋଭିତ ଫୁଲମାଳ ସହ ଆଲୋକ ମାଳାରେ ସୂସଜ୍ଜିତ ହୋଇ ତଥା ନଡିଆ, ସଂକୀର୍ତ୍ତନ ମଣ୍ଡଳି ସହିତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ ଗ୍ରାମ ପରିକ୍ରମା କରି ଘୋରଡିଆର ଚାରୀ ସାହୀ, କଚେରୀ, କୁଆପଦା, ବାଲିହୁଙ୍କା ଶିଶୁଆପଡା, ନୂଆ ହାଟ, ଘନିପୁର , ଓଉପଡାଠାରେ ଭୋଗ ପାଇଥାନ୍ତି । ସେହିପରି ଶ୍ରୀ ଶ୍ରୀ ରାଧାମୋହନ ଦେବ, ଶ୍ରୀ ଶ୍ରୀ ପତିତପାବନ ଦେବମଧ୍ୟ ଦୋଳବିମାନରେ ବସି ଗାଁ ପରିକ୍ରମା କରି ଭୋଗ ପାଇଥାନ୍ତି । ଅପରାହ୍ନରେ ଦୋଳମଣ୍ଡପରେ ଦୋଳିରେ ବସିପୂଜା ପାଇଥାନ୍ତି । ସଂଧ୍ୟାରେ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ହେବା ସହ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଏଠାରେ ପଣ୍ଡିତମାନେ ନୃତନ ପାଜ୍ଞିକା ପାଠ କରି ଚଳିତ ବର୍ଷ ରାଜ୍ୟ ଓ ଦେଶର ଭବିଷ୍ୟତ, ଭଲମନ୍ଦ ସଂପର୍କରେ ଆଲୋକପାତ କରିଯାଇଥିଲା ଏଥି ସହିତ ଡେଲାଙ୍ଗର ଗଡବେଗୁନିଆପଡା, ଘନିପୁର, ଯୋରକଣୀ, ତିଗିରିଆ, ସୁଜନପୁର କଲ୍ୟାଣପୁର, ନୁଆହାଟ, ମୁନିନ୍ଦା ଡେଲାଙ୍ଗ ହାଟ, ବେରବୋଇ, ଅରିଶଲ, ଗୁଆଳିପଡା, ଅଭୟମୁଖୀ, ମୋଟରୀ, ଧାନକେରା, ରେଙ୍ଗଳ, ଗୋଡିପୁଟ ମାଟିଆପଡା, ସିଂଙ୍ଗବ୍ରହ୍ମପୁର, ଜେନାପୁର, ଶ୍ରୀପୁରଷସ୍ତମପୁର ଆଦି ବିଭିନ୍ନସ୍ଥାନରେ ମଧ୍ୟ ଦୋଳପର୍ବ ଉତ୍ସାହଉଦ୍ଦିପନା ସହ ପାଳନ କରିବା ଦେଖିବାକୁ ମିଳିଥିଲା ।