ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅଧୀନ ସଦର ଲାଠୋର ବଜାର ମଝିରେ ରାତି ଅଧରେ ଦୁଇଟି ଜଙ୍ଗଲୀ ହାତୀ ପଶି ଆସିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରାତି ୪ଟା ବେଳେ ଛତିଶଗଡ ଅଞ୍ଚଳରୁ କୁମନା ରାସ୍ତା ଦେଇ ଦୁଇଟି ଜଙ୍ଗଲୀ ହାତୀ ଲାଠୋର ବଜାର ମଝି ରାସ୍ତାରେ ବୁଲୁଥିବାର ଜଣାପଡିଛି । ଏନେଇ ଲୋକଙ୍କ ମନ ଭିତରେ ଭୟର ଆତଙ୍କ ଖେଳି ଯାଇଛି । ଖବରପାଇ ବନ ବିଭାଗ କର୍ମଚାରୀ ଆସି ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘୋଉଡ଼ାଇଲା ପରେ ହାତୀ ହରିଶଙ୍କର ରେଞ୍ଜ ଅଧିନସ୍ଥ ପିଙ୍ଗଲମୁଣ୍ଡା ଜଙ୍ଗଲରେ ଥିବା ଜଣାପଡିଛି । ଲାଠୋର ବନାଞ୍ଚଳ ଅଧିକାରୀ ପ୍ରଭାତୀ ସେଠଙ୍କ କହିବା ଅନୁଯାୟୀ କୌଣସି କ୍ଷୟକ୍ଷତି ହୋଇନାହିଁ । କିଛି ଦିନ ହେଲା ହରିଶଙ୍କର ରେଞ୍ଜ ଏବଂ ଲାଠୋର ରେଞ୍ଜ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ବଢ଼ିବାର ଦେଖିବାକୁ ମିଳିଛି । ଦୁଇ ଦିନ ତଳେ ହରିଶଙ୍କର ରେଞ୍ଜ ଅଧିନସ୍ଥ ନାନ୍ଦୁପଲା ଗ୍ରାମରେ ଦୁଇଟି ହାତୀ ଦୁଇ ଜଣଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଥିଲା । ହାତୀମାନେ କେମିତି ଜନବସତି ଅଞ୍ଚଳକୁ ନ ଆସିବେ ଏ ଦିଗରେ ବନ ବିଭାଗ ଶୀଘ୍ର ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Prev Post