
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଛତା ପିପଲ ଗ୍ରାମରେ ବିଗତ କିଛ ଦିନ ହେଲା ରାକେଶ ମହାକୁର ନାମକ ଜଣେ ଯୁବକ ଆତଙ୍କରାଜ ଚଳାଇଛି । ଟାଙ୍ଗି ଓ ଭୁଜାଲି ଧରି ଗାଁ ସାରା ବୁଲି ସମସ୍ତଙ୍କୁ ମରିଦେବ ବୋଲି ଧମକ ଦେଉଛି । ତା’ଛଡା ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଉକ୍ତ ଯୁବକ ଏକ ବେଆଇନ ମଦ ଦୋକାନ କରିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଯୁବତୀ ଓ ନାରୀମାନେ ନିଷାଶାକ୍ତଙ୍କ ଦୁର୍ବ୍ୟବହାରର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ । କିନ୍ତୁ ଏଥର କଥା ଅସମ୍ଭାଳ ହୋଇଛି । ପୋଲିସ ଉକ୍ତ ଯୁବକକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଗାଁ ଲୋକ ଥାନା ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ଛତା ପିପଲ ଗ୍ରାମବାସୀ ଥାନାରେ ରବିବାର ରାତି ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏଫ୍ଆଇଆର୍ ଠିକ୍ ଭାବେ ଲେଖାଯାଇ ନଥିବା ଦର୍ଶାଇ ପୁଇଁତଲା ଥାନା ଅଧିକାରୀ ଏଫ୍ଆଇଆର୍ ଗ୍ରହଣ କରି ନଥିବା ଗ୍ରାମବାସୀ କହିଛନ୍ତି । ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ରାକେଶ ସହିତ ପୋଲିସର ଭିତରି ବୁଝାମଣା ରହିଛି । ବାରମ୍ବାର ଅଭିଯୋଗ ପରେ ଗତ ମାର୍ଚ୍ଚ ମାସରେ ଅବକାରୀ ବିଭାଗ ରାକେଶର ମଦ ଦୋକାନକୁ ଚଢ଼ାଉ କରିଥିଲା । କିନ୍ତୁ ଓଲଟା ଅଭିଯୁକ୍ତ ରାକେଶ ଓ ପରିବାର ବର୍ଗ ଅବକାରୀ ଅଧିକାରୀମାନଙ୍କୁ ମାଡ଼ ମାରିଥିଲେ । ଘଟଣା ଥାନାକୁ ଯାଇଥିଲେ ସୁଦ୍ଧା ଅଭିଯୁକ୍ତକୁ କେବଳ ନୋଟିସ ଦେଇ ଛାଡି ଦିଆଯାଇଥିଲା । ଏବେ ପୋଲିସ ନା ନା ଆଳ ଦେଖାଇ ଗ୍ରାମବାସୀଙ୍କ ଅଭିଯୋଗ ଗ୍ରହଣ କରୁନାହିଁ । ଯାହା ଏମାନଙ୍କ ଭିତରି ବୁଝାମଣା ଥିବା ପ୍ରମାଣ କରୁଛି । ତେଣୁ ଗ୍ରାମବାସୀ ସିଧା ସଳଖ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରି କରିବେ । ନ୍ୟାୟ ନ ମିଳିଲେ ଏସ୍ପି ଅଫିସ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ତେବେ ଘଟଣା ପରେ ଛତାପିପଲ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ଖବର ରହିଛି ।


