ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଠେଙ୍ଗାରେ ପିଟି ବ୍ୟବସାୟୀଙ୍କଠାରୁ ନଗଦ ଏକ ଲକ୍ଷ ଦଶ ହଜାର ଟଙ୍କା ଲୁଟି ନେଇଛନ୍ତି ୩ ଜଣ ଦୁର୍ବୃତ୍ତ । ଲାଠୋର ଥାନା ଘୁନଶର ଠୁ ରେଙ୍ଗାଲି ଯିବା ରାସ୍ତା କୁଳିହାମୁଣ୍ଡା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଗିରିଧାରୀ ମେହେର । ଲୁଟ୍କୁ ନେଇ ବୁଧବାର ଲାଠୋର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗିରିଧାରୀ ମେହେର ପାଟଣାଗଡ଼ସ୍ଥିତ ଏକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଘର ରେଙ୍ଗାଲିକୁ ସନ୍ଧ୍ୟା ୬.୩୦ ସମୟରେ ଫେରୁଥିଲେ । ହେଲେ ଘରଠାରୁ ମାତ୍ର କିଛି ଦୂରରେ ଥିବା କୁଲିହାମୁଣ୍ଡା ଗାଁ ନିକଟରେ ଏକ କଳା ରଙ୍ଗର ପଲସର ବାଇକରେ ୩ ଜଣ ଯୁବକ ମୁହଁରେ ମାସ୍କ ଲଗାଇ ତାଙ୍କୁ ଅଟକାଇଥିଲେ । ପରେ ଠେଙ୍ଗାରେ ମାଡ ମାରି ତାଙ୍କ ଠାରୁ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଛଡାଇ ନେଇ ତେଲେନପାଲି ରାସ୍ତା ଆଡକୁ ପଳାଇଥିଲେ । ଶ୍ରୀ ମେହେର ଏନେଇ ଲାଠୋର ଥାନାରେ ଅଭିଯୋଗ କରିବା ପରେ ଖପ୍ରାଖୋଲ ପୋଲିସ ଏବଂ ଲାଠୋର ପୋଲିସ ବିଭିନ୍ନ ଜାଗାରେ ସିସିଟିଭି ଯାଞ୍ଚ କରୁଥିବା ବେଳେ ଏନେଇ ଲାଠୋର ଥାନା କେସ ନଂ ୧୩/୨୦୨୫ରେ ଏକ ମାମଲା ଋଜୁ କରି ଅଧିକ ତଦନ୍ତ କରୁଥିବା ଏବଂ ଲୁଟେରା ମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଲାଠୋର ଥାନାଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।