ଚାବରିପାଲି ଗାଁରେ ହାତୀ ଆତଙ୍କ : ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ହାତୀ ନେଲା ଜୀବନ । ହାତୀ ଆକ୍ରମଣରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ । ପୁଅବୋହୁ ନିଜ ଜୀବନ ବଞ୍ଚାଇବା ପାଇଁ ବାପା ମାଁଙ୍କୁ ଛାଡି ଲୋକଙ୍କ ସାହାଯ୍ୟ ପାଇଁ ଗାଁ ମୁଖ । ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଚାବରିପାଲି ଗାଁରେ ୨ ବୃଦ୍ଧ ବୃଦ୍ଧା ଘରେ ଶୋଇଥିବା ବେଳେ ଦଳିଦେଲା ଦନ୍ତା ହାତୀ । ଘଟଣାସ୍ଥଳରେ ହିିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ୨ ଜଣ ହେଲେ ନୀଳାମ୍ବର ବରିହା(୫୭) ଏବଂ ଯଶୋବନ୍ତି ବରିହା (୫୨) । ଖବର ପାଇ ବନବିଭାଗ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ ରବିବାର ମଧ୍ୟ ରାତ୍ରିରେ ଗୋଟିଏ ଦନ୍ତା ହାତୀ ପଦ୍ମପୁର ରେଞ୍ଜ ଅମ୍ରାଖୋଲ ବତିପଥର ଜଙ୍ଗଲ ରାସ୍ତାରେ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଚାବରିପାଲି ଗ୍ରାମକୁ ଆସିଥିଲା । ଗ୍ରାମ ନିକଟରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ହାତୀ ବୁଲୁଥିବା ଜଣାପଡିଛି । ରାତି ୩ଟା ସମୟରେ ଗାଁରୁ କିଛି ଦୂରରେ କ୍ଷେତରେ ଅଲଗା ଅଲଗା ଘରେ ରହୁଥିବା ନୀଳାମ୍ବର ବରିହା, ତାଙ୍କ ଦ୍ଵିତୀୟ ସ୍ତ୍ରୀ ଯଶୋବନ୍ତି ବରିହା, ପୁଅ ଲୋକନାଥ ବରିହା ଏବଂ ବୋହୁ ବୃନ୍ଦାବତୀ ବରିହା ରାତିରେ କିଛି ଶବ୍ଦ ଶୁଣିଥିଲେ । ଶବ୍ଦକୁ ଶୁଣି ପୁଅ ଏବଂ ବୋହୁ ବାହାରକୁ ବାହାରି ହାତୀକୁ ଦେଖି ଜୀବନ ଆକୁଳରେ ସହାୟତା ପାଇଁ ଗାଁ ଭିତରକୁ ଦୌଡ଼ି ପଳାଇଥିଲେ । ଗାଁରୁ କିଛି ଲୋକଙ୍କୁ ନେଇ ଫେରିଲା ପରେ ଦେଖିବାକୁ ପାଇଲେ ବାପା ଏବଂ ମାଁଙ୍କୁ ହାତୀ ଦଳିଚକଟି ମାରିଦେଇଛି । ଆଶ୍ଚର୍ଯ୍ୟର ବିଷୟ ପଦ୍ମପୁର ରେଞ୍ଜ ଏବଂ ହରିଶଙ୍କର ରେଞ୍ଜ ସୀମାରେ ଗତ ୩ ଦିନ ହେଲା ହାତୀ ବୁଲୁଥିବା ଖବର ପାଇ ପଦ୍ମପୁର ରେଞ୍ଜର ବନବିଭାଗ କର୍ମଚାରୀ ମାନେ ଅମ୍ରାଖୋଲ ଏବଂ ବତିପଥର ଅଞ୍ଚଳରେ ସଚେତନ କରୁଛନ୍ତି କିନ୍ତୁ ହରିଶଙ୍କର ରେଞ୍ଜର ବନ କର୍ମଚାରୀ ମାନଙ୍କ ପାଖରେ କୌଣସି ଖବର ନଥିଲା ବୋଲି ଅଧିକାରୀ କହୁଛନ୍ତି । କିଛି ଦିନ ହେଲା ପଦ୍ମପୁର ରେଞ୍ଜ ସୀମାନ୍ତରେ ଏକ ଦନ୍ତା ହାତୀ ଆତଙ୍କ ସୃଷ୍ଟି କରୁଥିବା ଖବର ପାଇ ପଦ୍ମପୁର ବନବିଭାଗ ହାତୀ ଘଉଡ଼ାଇବାରେ ବ୍ୟସ୍ତ ଥିବା ବେଳେ ହାତୀଟି ହରିଶଙ୍କର ରେଞ୍ଜକୁ ଯାଇଛି ବୋଲି ହରିଶଙ୍କର ରେଞ୍ଜ ବନବିଭାଗକୁ କେହି ଖବର କରିନଥିବା ହରିଶଙ୍କର ରେଞ୍ଜ ବନବିଭାଗରୁ ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଥିବାବେଳେ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ବନବିଭାଗ ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି । ବନବିଭାଗ କର୍ମଚାରୀ ଭଲ ଭାବରେ କାର୍ଯ୍ୟ କରୁନଥିବାର ଅଭିଯୋଗ ବାରମ୍ବାର ହେଉଛି କିନ୍ତୁ ହାତୀ ଘଉଡାଇବାରେ ବନବିଭାଗ ଫେଲ୍‌ ମାରିଥିବା କହିଛନ୍ତି ଲୋକ ।

Leave A Reply

Your email address will not be published.