ଯୋଗିସର୍ଡାରେ ତହସିଲଦାର ଓ ବିଡ଼ିଓଙ୍କୁ ଅଟକ ଘଟଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସର୍ଡା ଠାରେ ଆଜି ଥିଲା ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମକୁ ଯାଇଥିବା ଲୋଇସିଂହା ବିଡ଼ିଓ ଏବଂ ତହସିଲଦାରଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଯୋଗେଶ୍ୱର ଶୈବପୀଠର ଜମି ଜବରଦଖଲ ତଥା ପାରିପାଶ୍ୱିର୍କ ଉନ୍ନତିକରଣକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିବା ବେଳେ ସରକାରୀ ଅଧିକାରୀ ଗ୍ରାମରେ ଅଟକ ରହିବା ଚର୍ଚ୍ଚାର ବିଷୟ ହୋଇଛି । ଯୋଗିସର୍ଡା ଯୋଗେଶ୍ୱର ଶୈବପୀଠର ପ୍ରାୟ ୪୨ ଏକର ଦେବୋତ୍ତର ଜମି ରହିଛି । ପ୍ରାୟ ୭ ଏକର ଜମିକୁ କିଛି ମୁଷ୍ଟିମେୟ ବ୍ୟକ୍ତି ତଥା ସେବାୟତ ପରିବାର ଆକ୍ତିଆରରେ ରଖି ବେଆଇନ ଭାବେ ଦୋକାନ ଘର ତିଆରି କରିଛନ୍ତି । ଏଥିସହିତ ପୂର୍ତ୍ତ ବିଭାଗ ତରଫରୁ ୫ଟି ଯୋଜନାରେ ମନ୍ଦିରର ଉନ୍ନତିକରଣ ସକାଶେ ଚାଲିଥିବା କାମ ଅତି ମନ୍ଥର ଗତିରେ ଚାଲିଛି । ଉନ୍ନତିକରଣ ପାଇଁ ରହିଥିବା ଡିପିଆରରେ ଶିଶୁ ଉଦ୍ୟାନ, ଗାଡ଼ି ପାର୍କିଂ ସାଙ୍ଗକୁ ଶୌଚାଳୟ ନିର୍ମାଣ କାର୍ଯ୍ୟ ହେବା କଥା । ତେବେ ଦାୟିତ୍ୱରେ ଥିବା ଠିକାଦାର ନିଜ ମର୍ଜି ମୁତାବକ କେବଳ ମନ୍ଦିର ଭିତରେ କାମ ଚାଲୁ ରଖିଥିବା ବେଳେ ମନ୍ଦିରର ବାହ୍ୟ ପାରିପାଶ୍ୱିର୍କ ଉନ୍ନତି ପ୍ରତି ଧ୍ୟାନ ଦେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ମନ୍ଦିର ଜମି ଜବରଦଖଲକାରୀଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ନିର୍ମାଣ ଦାୟିତ୍ୱରେ ଥିବା ସ୍ଥାନୀୟ ଠିକାଦାର ଜଣକ ଡିପିଆର ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ଏନେଇ ପୂର୍ବରୁ ସ୍ଥାନୀୟ ବାସିନ୍ଦା ତଥା ମନ୍ଦିର ପରିଚାଳନା କମିଟି ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଫଳରେ ଉତ୍ୟକ୍ତ ଲୋକେ ଆଜି ଜନଶୁଣାଣି କାର୍ଯ୍ୟକ୍ରମକୁ ବର୍ଜନ କରି ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡୁ, ତହସିଲଦାର ସଂଘମିତ୍ରା କାଲୋ, ନିର୍ବାହୀ ଅଧିକାରୀ, ଯୋଗାଣ ଅଧିକାରୀ ତଥା ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କୁ ସକାଳ ସାଢେ଼ ୧୧ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଥିଲେ । ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ସମସ୍ୟାର ସମାଧାନ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.