ଯୋଗିସର୍ଡାରେ ଉତ୍ତେଜନା, ତହସିଲଦାର ଓ ବିଡ଼ିଓଙ୍କୁ ଅଟକ ରଖିଲେ ଲୋକେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସର୍ଡ଼ା ଠାରେ ଆଜି ଥିଲା ପଞ୍ଚାୟତସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ । ତେବେ ଏହି କାୟର୍ଯ୍ୟକ୍ରମକୁ ଯାଇଥିବା ଲୋଇସିଂହା ବିଡ଼ିଓ ଏବଂ ତହସିଲଦାରଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଯୋଗେଶ୍ୱର ଶୈବପୀଠର ଜମି ଜବରଦଖଲ ତଥା ପାରିପାଶ୍ୱିର୍କ ଉନ୍ନତିକରଣକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିବା ବେଳେ ସରକାରୀ ଅଧିକାରୀ ଗ୍ରାମରେ ଅଟକ ରହିବା ଚର୍ଚ୍ଚାର ବିଷୟ ହୋଇଛି । ଯୋଗିସର୍ଡା ଯୋଗେଶ୍ୱର ଶୈବପୀଠର ପ୍ରାୟ ୪୨ଏକର ଦେବୋତ୍ତର ଜମି ରହିଛି । ତେବେ କିଛି ମୁଷ୍ଟିମେୟ ବ୍ୟକ୍ତି ତଥା ସେବାୟତ ପରିବାର ବାବାଙ୍କ ଜମିକୁ ଆକ୍ତିଆରରେ ରଖି ବେଆଇନ ଭାବେ ନିର୍ମାଣ କାମ ଜାରି ରଖିଛନ୍ତି । ଏଥି ସହିତ ପୂର୍ତ୍ତ ବିଭାଗ ତରଫରୁ ୫ଟି ଯୋଜନାରେ ମନ୍ଦିରର ଉନ୍ନତିକରଣ ସକାଶେ ଚାଲିଥିବା କାମ ଅତି ମନ୍ଥର ଗତିରେ ଚାଲିଛି । ଦାୟିତ୍ୱରେ ଥିବା ଠିକାଦାର ନିଜ ମର୍ଜି ମୁତାବକ କେବଳ ମନ୍ଦିର ଭିତରେ କାମ ଚାଲୁ ରଖିଥିବା ବେଳେ ମନ୍ଦିରର ପାରିପାଶ୍ୱିର୍କ ଉନ୍ନତିକରଣ ପ୍ରତି ଧ୍ୟାନ ଦେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ପୂର୍ବରୁ ସ୍ଥାନୀୟ ବାସିନ୍ଦା ତଥା ମନ୍ଦିର ପରିଚାଳନା କମିଟି ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଫଳରେ ଉତ୍ୟକ୍ତ ଲୋକେ ଆଜି ଜନଶୁଣାଣୀ କାର୍ଯ୍ୟକ୍ରମକୁ ବାତିଲ କରି ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡୁ, ତହସିଲଦାର ସଂଘମିତ୍ରା କାଲୋ ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିବା ଜଣାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଅଧିକାରୀ ଗଣ ଅଟକ ରହିଥିବା ବେଳେ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି ।

Leave A Reply

Your email address will not be published.