ବଲାଙ୍ଗିରର ଆଶୁକବି ହେମନ୍ତ ଦାଶଙ୍କୁ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ଫୁଲବାଣୀ ପକ୍ଷରୁ ସମ୍ମାନଜନକ ସାରସ୍ଵତ ରତ୍ନ ଓ ଶିକ୍ଷକ ରତ୍ନ ସମ୍ମାନ ପ୍ରଦାନ

ତୁଷୁରା, (କେପିଏନ୍‌ଏସ୍‌) : ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ଫୁଲବାଣୀର ଦ୍ୱିତ୍ରିଂଶ ସ୍ଵନକ୍ଷତ୍ର ଉତ୍ସବ ଓ ସାରସ୍ଵତ ସମ୍ବର୍ଦ୍ଧନା ସଭା ରବିବାର ସଂଧ୍ୟା ୬ ଘଟିକା ସମୟରେ ବିଟିଂ ପଡିଆରେ ଆୟୋଜିତ ବର୍ଣ୍ଣାଢ଼୍ୟ ମଞ୍ଚରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଡ. କାହ୍ନୁ ଚରଣ ସତପଥୀଙ୍କ ସଞ୍ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା କଲେଜର ପ୍ରତିଷ୍ଠାତା ଡ. କାଳି ଚରଣ ଜୟସିଂହ ଯୋଗଦେଇ ମାତୃଭାଷାର ମହତ୍ତ୍ଵ ପ୍ରତିପାଦନ କରିଥିଲେ । ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ବୌଦ୍ଧ କଲେଜର ଇଂରାଜୀ ପ୍ରଫେସର ଡ଼. ପ୍ରମୋଦ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ପରମ୍ପରା ସାହିତ୍ୟ ସଂସଦ ନୟାଗଡ଼ର ସଂପାଦକ ଡ. ନିର୍ମଳ ଚନ୍ଦ୍ର ସୁରଦେଓ ଯୋଗଦେଇ ମାତୃଭାଷାକୁ କାଳଜୟୀ କରିବାକୁ ଉପସ୍ଥିତ କବିକୁଳଙ୍କୁ ଆହ୍ଵାନ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ସଂଯୋଜକ ଯଜ୍ଞଦତ୍ତ ରଥ, ସଂଯୋଜିକା ଡ. ସୌଦାମିନୀ ମିଶ୍ର ଓ ସୁନୀତି ଆଚାରୀଙ୍କ ସୁନ୍ଦର ସଂଯୋଜନା ରେ କବିତାପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ କବି, କବୟିତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଓଡିଆ ଭଷାର ଅସ୍ମିତା ଶୀର୍ଷକ ଆଲୋଚନାଚକ୍ର ଓ ତୃତୀୟ ପର୍ଯ୍ୟାୟରେ ପୂଜ୍ୟପୂଜାର ପରମ୍ପରାକୁ ପାଥେୟ କରି ଓଡିଶାର ୧୩ ଜଣ ସାରସ୍ଵତ ସାଧକ, ସାଧିକାଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହିକ୍ରମରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରାର ବିଶିଷ୍ଟ ସାହିତ୍ୟିକ, ଶିକ୍ଷକ, ଗାଳ୍ପିକ, ସଂପାଦକ, ସଂଗଠକ ଆଶୁକବି ହେମନ୍ତ ଦାଶଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନଜନକ ସାରସ୍ଵତ ରତ୍ନ ଓ ଶିକ୍ଷକ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ଅତିଥି ବୃନ୍ଦ ଶ୍ରୀ ଦାଶଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ, ମୋମେଣ୍ଟୋ ଓ ମାନପତ୍ର ପ୍ରଦାନ କରି ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ମାନ ଗ୍ରହଣ କରିବା ପରେ ଶ୍ରୀ ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି- “ଏହା ମୋତେ ଆହୁରି ଅଧିକ ସାରସ୍ଵତ ସାଧନା କରିବାକୁ ପ୍ରେରଣା ଯୋଗାଇବ । ଏହି ସୁସମ୍ବାଦ ପ୍ରସାରିତ ହେବାପରେ ତୁଷୁରା ବିଶିଷ୍ଟ ସାହିତ୍ୟିକ ତୁଳସୀ ଜୈନ, ଡ. ସୁଧାଂଶୁ ଭୂଷଣ ମେହେର, ବରୁଣ କୁମାର ସାହୁ ତଥା ଅନେକ ସାହିତ୍ୟିକ, ପ୍ରଶଂସକ, ବନ୍ଧୁ ପରିଜନ ଶ୍ରୀ ଦାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.