ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ବେସାହାରା ପରିବାର : ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଦୀପା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିଜୁରୀ ଗ୍ରାମର ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ଏକ ପରିବାର ବେସାହାରା ହୋଇ ପଡିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଅତିକଷ୍ଟରେ ଜୀବନଯାପନ କରୁଛନ୍ତି । ସୂଚନା ଅନୁଯାୟୀ ସର୍ଗିଜୁରୀ ଗ୍ରାମର କ୍ଷୀରସାଗର ପଟେଲ ଜଣେ ନିର୍ମାଣ ଶ୍ରମିକ ଥିଲେ । ତାଙ୍କ ପରିବାର କହିଲେ ସ୍ତ୍ରୀ ସୌଦାମିନୀ ପଟେଲ, ପୁଅ କ୍ଷେତ୍ରମୋହନ ପଟେଲ (୧୭), ହେମଲତା ପଟେଲ(୧୬) ଏବଂ ମଧୁମିତା ପଟେଲ (୧୪) । ବେଶ୍‌ ହସଖୁସିରେ ତାଙ୍କ ଜୀବନ ବିତୁଥିଲା କିନ୍ତୁ ଚଳିତ ବର୍ଷ ମଇ ମାସ ୮ ତାରିଖରେ କ୍ଷୀରସାଗରଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପରିବାର ବେସାହାରା ହୋଇଯାଇଥିବା ସୂଚନା ମିଳିଛି । ଅସହାୟ ସ୍ତ୍ରୀ ନିଜ ନାବାଳକ ନାବାଳିକା ପୁଅଝିଅକୁ ନେଇ ବହୁକଷ୍ଟରେ ଜୀବନଯାପନ କରୁଛନ୍ତି, ଯେଉଁଥି ପାଇଁ ବର୍ତ୍ତମାନ ତାଙ୍କୁ ସରକାରୀ ସହାୟତାର ଆବଶ୍ୟକତା ରହିଛି । ଯେହେତୁ ପରିବାରର ମୁରବୀଙ୍କ ମୃତ୍ୟୁ ଘଟିଛି ଏହି ପରିବାର ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ଅଟନ୍ତି । ଏହାଛଡ଼ା କ୍ଷୀରସାଗର ଜଣେ ପଞ୍ଜିକୃତ ନିର୍ମାଣ ଶ୍ରମିକ ଥିଲେ ତାଙ୍କ ମୃତ୍ୟୁ ପରେ ନିର୍ମାଣ ଶ୍ରମିକ ମୃତ୍ୟୁକାଳୀନ ସହାୟତା ପାଇବା ପାଇଁ ଯୋଗ୍ୟ ଅଟନ୍ତି । ଏହି ପରିବାର ବିଷୟରେ ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ଜାଣିବା ପରେ ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ତଥା ନିର୍ମାଣ ଶ୍ରମିକ ମୃତ୍ୟୁକାଳୀନ ସହାୟତା ରାଶି ଯୋଗେଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.