
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ । ଚଳଚଞ୍ଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର । ରୁକୁଣା ରଥରେ ବସି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘର ଯିବେ । ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ ।
ରୁକୁଣା ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବେ । ରଥଯାତ୍ରା ସମୟରେ ଗୋଟି ପୁଅ, ଓଡ଼ିଶୀ, ଯୋଡ଼ି ଶଙ୍ଖ, ପଶୁମୁଖା ଆଦି ପାରମ୍ପରିକ ବାଦ୍ୟରେ କମ୍ପିବ ପରିବେଶ । ୧୦ଟା ୪୫ରୁ ସୂର୍ଯ୍ୟ ପୂଜା ଆରମ୍ଭ ହେବ । ସାଢ଼େ ୧୨ଟାରୁ ଆରମ୍ଭ ହେବ ପହଣ୍ଡି । ଗୋଟାଏ ୩୦ରୁ ୩ଟା ୩୦ ମଧ୍ୟରେ ରଥ ଉପରେ ଅନ୍ୟାନ୍ୟ ପୂଜା ବିଧି ଚାଲିବ । ସାଢ଼େ ୩ଟାରେ ରଥ ଟଣା ଆରମ୍ଭ ହେବ । ଏନେଇ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।