ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ : ଅଭିଭାବକ ମହଲରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶିକ୍ଷା ବିଭାଗ ତରଫରୁ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷା ହେବାର ଦୁଇମାସ ପାଖାପାଖି ହେବାକୁ ଯାଉଥିଲେ ହେଁ ଲୋଇସିଂହା ବ୍ଲକରେ ଅଦ୍ୟାବଧି ତାହାର ଫଳାଫଳ ବାହାରି ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ୨୦୨୩-୨୪ ଶିକ୍ଷା ବର୍ଷରେ ତୃତୀୟ ଶ୍ରେଣୀରେ ଅଧ୍ୟୟନରତ ଲୋଇସିଂହା ବ୍ଲକର ୧୬୪ ଜଣ ଛାତ୍ରଛାତ୍ରୀ ଗତ ଡିସେମ୍ବର ୭ରେ ସରକାରୀ ବୃତ୍ତି ପରୀକ୍ଷା ଦେଇଥିଲେ । ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକରେ ଏକା ସମୟରେ ହୋଇଥିବା ଏହି ପରୀକ୍ଷା ଫଳ ଅନ୍ୟତ୍ର ପ୍ରକାଶନ ହୋଇ ସାରିଥିଲେ ସୁଦ୍ଧା ଲୋଇସିଂହା ବ୍ଲକରେ ତାହା ହୋଇପାରି ନାହିଁ । କୌଣସି ଏକ ଅହେତୁକ କାରଣ ପାଇଁ ଏହି ପରୀକ୍ଷାର ଫଳ ପ୍ରକାଶନରେ କର୍ତ୍ତୃପକ୍ଷ ବିଳମ୍ବ କରୁଛନ୍ତି, ତାହା ବୁଝାପଡୁ ନାହିଁ । ଏନେଇ ବିଇଓ ରୀନା କୁମାରୀ ବେହେରାଙ୍କୁ ପଚାରିଲେ ପ୍ରୋସେସରେ ଅଛି, ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ହେବ ବୋଲି ସୂଚନା ଦେଇଥିଲେ । ପରୀକ୍ଷା ଫଳ ପ୍ରକାଶନରେ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଖୁବଶୀଘ୍ର ଫଳାଫଳ ଘୋଷଣା କରାଯିବା ସକାଶେ ଅଭିଭାବକ ମହଲରେ ଦାବି ହେଉଛି ।

Leave A Reply

Your email address will not be published.