ଦେଓଗାଁ, (ମନୀଷ କୁମାର ସାହୁ) : ଆଜିର ସମୟରେ ଟିକିଏ ସମୟ ପାଇଁ ମୋବାଇଲ ଇଣ୍ଟରନେଟ ଠାରୁ ଦୂରେଇ ରହିବା ଲୋକଙ୍କ ପାଇଁ ଭାରି କଷ୍ଟକର । ମଣିଷ ଏବେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଉପରେ ନିଜର ଅଧିକାଂଶ କାମ ପାଇଁ ନିର୍ଭରଶୀଳ ହେଲାଣି । କେହି ଘରେ ବସି ଅଫିସ କାମ କରୁଛି ତ’ ଆଉ କେହି ଏହା ଦ୍ୱାରା ଘରକରଣା ସାମଗ୍ରୀ ଅନଲାଇନ୍ରେ କିଣି ପାରୁଛି । ଏହା ସହ ଟଙ୍କା କାରବାର ଭଳି ବ୍ୟାଙ୍କିଙ୍ଗ କାମ ସହ ସୋସିଆଲ ମିଡିଆରେ ଘରେ ଥାଇ ପୃଥିବୀର ଖବର ପାଇବା ମଣିଷ ପାଇଁ ସ୍ମାର୍ଟ ଫୋନ୍ ଏବଂ ନେଟୱର୍କ ଯୋଗୁଁ ସମ୍ଭବପର ହୋଇପାରୁଛି । ଜିଓ, ଏଆର୍ଟେଲ ଭଳି କମ୍ପାନୀ ଏବେ ୫ଜି ସେବା ଦେବାରେ ପ୍ରତିଯୋଗିତା ଭାବେ ମାଡ଼ି ବସିଥିବା ବେଳେ ବିଏସ୍ଏନ୍ଏଲ୍ କମ୍ପାନୀ ୨ଜି/୩ଜି ସେବା ଦେବାରେ ମଧ୍ୟ ଅସଫଳ ରହୁଥିବା ଦେଖିବାକୁ ମିଳୁଛି । କୌଣସି ବ୍ୟାଙ୍କ୍ କାମରେ ବା କିଛି ଅଫିସିଆଲ୍ କାମରେ ବିଏସ୍ଏନ୍ଏଲ୍ ସିମ୍ ବ୍ୟବହାର କରୁଥିବା ବେଳେ ଠିକ୍ ଦରକାର ସମୟରେ ନେଟୱର୍କ ଫେଲ ଯୋଗୁଁ ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏବେ ଲୋକେ ଛୋଟ ଛୋଟ କାମ ପାଇଁ ଇଣ୍ଟରନେଟ ଉପରେ ଭରସା କରୁଥିବା ବେଳେ ଏବେ ମଧ୍ୟ ମାସକୁ ୧୫ରୁ ୨୦ଦିନ ଲୋକେ ବିଏସ୍ଏନ୍ଏଲ୍ ସଂସ୍ଥାର ନେଟୱର୍କ ପାଇଁ ଅସୁବିଧାର ସମ୍ମୁଖିନ ହେବା ଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଦେଓଗାଁ ଅଞ୍ଚଳରେ । ପ୍ରକାଶ ଯୋଗ୍ୟ ଯେ, ଦେଓଗାଁ ବ୍ଲକ ଅଞ୍ଚଳରେ ଏହି କମ୍ପାନୀର ନେଟୱର୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ ଗାଁରେ ବିଏସ୍ଏନ୍ଏଲ୍ ଟାୱାର ମଧ୍ୟ ରହିଛି । ହେଲେ ଗତ କିଛି ଦିନ ହେଲା ସମ୍ପୂର୍ଣ୍ଣ ଭାବେ ନେଟୱର୍କ ଫେଲ୍ ମାରିଛି । ଯାହା ଫଳରେ ଲୋକେ ଯୋଗାଯୋଗ କରିବା ସହ ଇଣ୍ଟରନେଟ ଦୁନିଆଁରୁ ଦୂରେଇ ରହିଛନ୍ତି । ସ୍ମାର୍ଟଫୋନରେ ଯଥେଷ୍ଟ ଟାୱାର ଆସୁ ନ ଥିବାରୁ କଲ୍ କରିବା ମଧ୍ୟ ସମ୍ଭବପର ହୋଇପାରୁନାହିଁ । ଏଭଳି କି ୨/୩ଜି କିପେଡ ମୋବାଇଲ ବ୍ୟବହାରକାରୀଙ୍କ ମୋବାଇଲରେ ମୋବାଇଲ ନେଟୱର୍କ ହିଁ ଆସୁନାହିଁ । ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେହି ବ୍ୟାଙ୍କ୍ କାମ ପାଇଁ ନେଟୱର୍କକୁ ଜଗି ରହିଥିବା ବେଳେ କେହି ସାଧାରଣ ବ୍ୟବହାର ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହାର ଓଟିପି ଆସୁନି ତ କାହାର ଫୋନ୍ କଲ୍ ଆସୁନି । ଉନ୍ନତ ସେବା ସପକ୍ଷରେ ବ୍ୟବହାରକାରୀ । ସେହିପରି ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଅଞ୍ଚଳରେ ବର୍ଷ ବର୍ଷ ହେଲା ନେଟୱର୍କ ଅସୁବିଧା ହେଉଛି । ଏ ଅଞ୍ଚଳର ଲୋକେ ନେଟୱର୍କ ଅସୁବିଧା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ଭଳି ଘଟଣା ମଧ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ । ତେବେ ଏଠାରେ ବିଏସ୍ଏନ୍ଏଲ୍ ବ୍ୟତୀତ ଅନ୍ୟ କୌଣସି ନେଟୱର୍କ ଉପଲବ୍ଧ ନ ଥିବାରୁ ଅଞ୍ଚଳବାସୀ କୌଣସି ଦ୍ଵିତୀୟ ପନ୍ଥା ମଧ୍ୟ ଅବଲମ୍ବନ କରିପାରୁନାହାନ୍ତି । ତେବେ ଏହି ସମସ୍ୟା ରାମଚନ୍ଦ୍ରପୁର ପାଇଁ କିଛି ନୁଆଁ ସମସ୍ୟା ନୁହେଁ । ମାସରେ ଅତି କମରେ ୨୦ରୁ ୨୫ଦିନ ଏଠି ମୋବାଇଲ ନେଟୱର୍କ ଫେଲ ମାରିଥାଏ । ଅଞ୍ଚଳବାସୀ ବହୁ ଥର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ କେହି ତତ୍ପରତା ଦେଖାଉ ନାହାନ୍ତି । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏଠାରେ ନେଟୱର୍କକୁ ନେଇ ବାରମ୍ବାର ଲାଗି ରହିଥିବା ସମସ୍ୟା ଯୋଗୁଁ ଜିଓ ଏବଂ ଏଆର୍ଟେଲ ଭଳି କୌଣସି କମ୍ପାନୀର ମୋବାଇଲ ଟାୱାର ସ୍ଥାପନ କରାଯିବା ନେଇ ଦାବି କରୁଛନ୍ତି । ବାରମ୍ବାର ଏଭଳି ମୋବାଇଲ ନେଟୱର୍କ ଫେଲ ମାରିବା ଯୋଗୁଁ ରାମଚନ୍ଦ୍ରପୁର ଅଞ୍ଚଳର ବହୁ ଗାଁର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଲକ ରାମଚନ୍ଦ୍ରପୁରରେ କିଛି ବର୍ଷ ପୂର୍ବେ କୌଣସି ମୋବାଇଲ ନେଟୱର୍କ ଉପଲବ୍ଧ ନଥିଲା । ଏ ଅଞ୍ଚଳରେ ଏକ ମୋବାଇଲ ଟାୱାର ସ୍ଥାପନ କରାଯାଉ ବୋଲି ବାରମ୍ବାର ଦାବି ହେବା ପରେ ୨୦୧୭ରେ ଏଠାରେ ବିଏସ୍ଏନ୍ଏଲ୍ର (୨ଜି) ଟାୱାର ସ୍ଥାପନ କରାଯାଇଥିଲା । ୨୦୧୯ରେ ଏହି ଟାୱାରକୁ ୪ଜି ଟାୱାରରେ ପରିଣତ କରାଯାଇଥିଲା । ଏହା ସତ୍ୱେ ଏ ଅଞ୍ଚଳରେ ଲଗାତାର ଭାବେ ନେଟୱର୍କ ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଟାୱାରରେ ମରାମତି କରିବା ସହ ଏ ଅଞ୍ଚଳରେ ଅନ୍ୟ ସଂସ୍ଥାର ଟାୱାର ଲଗାଇଲେ ଅଞ୍ଚଳର ଉପୋଭୋକ୍ତ ମୋବାଇଲ ନେଟୱର୍କ ସେବାର ଉପଭୋଗ କରିପାରନ୍ତେ ବୋଲି ଅଞ୍ଚଳବାସୀ ବାରମ୍ବାର ଦାବି କରିଛନ୍ତି ।
Next Post