ପଦ୍ମପୁର, (ନିରୋଜ କୁମାର ପାଣୀ) : ହକ ଅଧିକାର ପାଇଁ ଲଢେଇ କଲେ ଯିବାକୁ ପଡୁଛି ଜେଲ ବୋଲି ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀଙ୍କ ପକ୍ଷରୁ କୁହାଯାଇଛି ଯେ, ବରଗଡ଼ ଜିଲ୍ଲାର ପଦ୍ମପୁର ତଥା ଅଣ ଜଳସେଚିତ ଅଞ୍ଚଳରେ ୨୦୨୦/୨୧ ଖରିଫ ଋତୁରେ ଅଭାବୀ ବର୍ଷା ଯୋଗୁଁ ବ୍ୟାପକ ଅଞ୍ଚଳରେ ମରୁଡ଼ି ପଡିଥିଲା ଫଳରେ ଚାଷ ଓ ଚାଷୀ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲେ । ସେହି ସମୟରେ ରାଜ୍ୟ ସରକାର ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କ ସାହାଯ୍ୟରେ ସରଜମିନ୍ ତଦନ୍ତ କରି ୭୨ ହଜାର ହେକ୍ଟର ଜମି ଫସଲ ନଷ୍ଟ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଫସଲବୀମାକୁ ମଧ୍ୟ ଯୁଗ୍ମ ତଦନ୍ତ କରି ବରଗଡ଼ ଜିଲ୍ଲାର ୧୨୪ ଗୋଟି ଗ୍ରାମ ପଞ୍ଚାୟତରେ କ୍ଷତିପୂରଣ ବାବଦକୁ ୪୨୪କୋଟି ଟଙ୍କା କମ୍ପାନୀ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଗୋଟିଏ ପଟେ ମରୁଡ଼ି ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ବେଳେ ଅନ୍ୟ ପଟେ ଖୁରି ଗିନା ବନ୍ଧା ପକାଇ ଫସଲବୀମା କରିଥିଲେ ଚାଷୀମାନେ । ନିୟମ ଅନୁସାରେ ଫସଲର କ୍ଷତି ଋତୁରେ କ୍ଷତିପୂରଣ ମିଳିବା କଥା ହେଲେ କ୍ଷତିପୁରଣ ନ ମିଳିବାରୁ ରାଜବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ପ୍ରଥମେ ଦାବୀପତ୍ର, ଚେତାବନୀ, ବାରମ୍ବାର ଅଫିସ ସମ୍ମୁଖରେ ଧାରଣା, ରାସ୍ତା ଅବରୋଧ କରାଯାଇଥିଲେ ମଧ୍ୟ କ୍ଷତିପୂରଣ ଅର୍ଥ ନ ମିଳିବାରୁ ବାଧ୍ୟ ହୋଇ ୧୪ ଅଗଷ୍ଟ ୨୦୨୨ରେ ସଂଗଠନ ତରଫରୁ ରେଲ ରୋକ କରାଯାଇଥିଲା । ସେଦିନ ହଜାର ହଜାର କୃଷକମାନଙ୍କ ଆକ୍ରୋଶକୁ ଦେଖି ଜିଲ୍ଲାପାଳ ଏବଂ ଏସ୍ପି ସମସ୍ତ ପ୍ରଭାବିତ ଚାଷୀ ୧୦ ଦିନ ମଧ୍ୟରେ କ୍ଷତିପୂରଣ ପାଇବେ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସ୍ଥଗିତ କରାଯାଇଥିଲା । କିନ୍ତୁ କ୍ଷତିପୂରଣ ମିଳିବା ବଦଳରେ ୫୬ ଜଣ କୃଷକ ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ନାମରେ କେସ କରାହେଲା । ଆଜି ପ୍ରର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ତିନୋଟି ପଞ୍ଚାୟତ ଫସଲବୀମା କ୍ଷତିପୂରଣ ପାଇ ନ ଥିବା ବେଳେ ଅନ୍ୟ ୭୭ ପଞ୍ଚାୟତ କ୍ଷତିଠାରୁ ବହୁତ କମ କ୍ଷତିପୂରଣ ପାଇଛନ୍ତି । ଆଜି ମଧ୍ୟ ରାଜବୋଡାସମ୍ବର କୃଷକ ସଙ୍ଗଠନ ୧୮୭ ଦିନ ହେବ ଉକ୍ତ ଦାବୀ ପୁରଣ ପାଇଁ ଉପଜିଲ୍ଲାପାଳ ଅଫିସ ପଦ୍ମପୁରଠାରେ ଧାରଣାରେ ବସିଛନ୍ତି । ଇତି ମଧ୍ୟରେ ଗୋଟିଏ ଉପନିର୍ବାଚନ ଚାଲିଯାଇଛି । ନିର୍ବାଚନ ସମୟରେ ମାଳ ମାଳ ପ୍ରତିଶ୍ରୁତି । ରେଲ ରୋକ ସମୟର କେସ ପାଇଁ କୋର୍ଟରେ ବେଲ ନ କଲେ ସମସ୍ତକୁ ଜେଲ ପଠାଇବା ପାଇଁ ଧମକି ଦେବାରୁ ଆଜି ୨୯ ଜଣଙ୍କର ବେଲ କରାଯାଇଛି ବୋଲି ଚାଷୀମାନେ ମିଜ ମତରେ କହିଛନ୍ତି । ଚାଷୀର ଉତ୍ପାଦନରେ ଦେଶ ସମୃଦ୍ଧ, ଚାଷୀର ଭୋଟରେ ସରକାର ଗଢା, ଚାଷୀଙ୍କ ପାଇଁ ସରକାର ମାନଙ୍କ କୁମ୍ଭୀର କାନ୍ଦଣା କିନ୍ତୁ ନ୍ୟାୟ ବଦଳରେ ଚାଷୀ ହେଉଛି ଶୋଷିତ ପ୍ରତିବାଦ କଲେ ମିଳୁଛି ଜେଲଦଣ୍ଡ ବୋଲି ଚାଷୀମାନେ ମତ ଦେଉଛନ୍ତି ।
Next Post