jayashree

ନାଳ ଜାମ୍‌ ହେବା ଯୋଗୁଁ ରାସ୍ତାରେ ଗଡୁଛି ଅସନା ପାଣି : ସାଧାରଣରେ ଅସନ୍ତୋଷ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାରଙ୍କ ଦ୍ୱାରା ସହରର ବିକାଶ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି । ସେ ଭିତରେ ସହରର ସୌନ୍ଦର୍ଯ୍ୟକରଣ, ପାନୀୟ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ ଅନ୍ୟତମ । ଟିଟିଲାଗଡ ସହର ଅନ୍ତର୍ଗତ ୱାର୍ଡ ନମ୍ବର ୧୪ର ଗୋଶାଳା ଯିବା ରାସ୍ତାରେ ବୋହୁଛି ଅସନା ପାଣି, ଅସନା ପାଣି ନିଷ୍କାସନ ହେବା ପାଇଁ ନାଳ ଥାଇ ମଧ୍ୟ ଠିକ ଭାବେ ସଫା ନ କରିବା ଯୋଗୁଁ ଏହି ପଟେ ଯିବାଆସିବା କରୁଥିବା ଲୋକ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଏହି ଅସନା ପାଣିକୁ ମାଡ଼ି ସ୍କୁଲ ଛାତ୍ର, ଯମୁନା ଜୋରକୁ ଗାଧୋଇବା ପାଇଁ ଯାଉଥିବା ଜନସାଧାରଣ, ଶ୍ରୀରାମ ଗୋଶାଳା ଯାଉଥିବା ଲୋକେ, ୱାର୍ଡର ସମସ୍ତେ ନାହିିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ କରିଛନ୍ତି । ବର୍ଷା ଦିନ ଭଳି ସର୍ବଦା ସନ୍ତସନ୍ତିଆ ରହୁଛି ଏହି ସ୍ଥାନ, ଫଳରେ ମଶାମାନଙ୍କ ଦୌରାତ୍ମ୍ୟ ମଧ୍ୟ ବୃଦ୍ଧି ପାଉଛି । ସହରର ବିଭିନ୍ନ ୱାର୍ଡ ମଧ୍ୟରୁ ଏହି ୱାର୍ଡର ଅବସ୍ଥା ଦେଖିଲେ ଲାଗୁଛି ସତେ ଯେମିତି ଏମାନେ ମୌଳିକ ସୁବିଧାରୁ ବଂଚିତ ଲୋକ । ଏମାନଙ୍କ ଅସୁବିଧା ପ୍ରତି ପୌର ପରିଷଦ ପକ୍ଷରୁ ଦୃଷ୍ଟି ଦେଇ କାର୍ଯ୍ୟ କରିଲେ ଲୋକେ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.