ବ୍ୟବସାୟୀଙ୍କ ମନମୂଖୀ କାର୍ଯ୍ୟରେ ଜନସାଧାରଣଙ୍କ ଅସନ୍ତୋଷ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ୍ବାଗାନ ନିକଟସ୍ଥ ପୂର୍ବରୁ ଥିବା ଦୀପକ ସିନେମା ହଲ୍‌କୁ ଜନୈକ ବ୍ୟବସାୟୀ ନେବା ପରେ ଏହାକୁ ଏକ ମଲ୍ ରୂପେ ରୂପଦେବାକୁ ଚେଷ୍ଟା କରୁଛନ୍ତି । ତେବେ ବ୍ୟବସାୟୀଙ୍କ ନିର୍ଦ୍ଦେଶରେ ଦୀର୍ଘ ପଚାଶ ଦଶନ୍ଧିରୁ ଉର୍ଦ୍ଧ୍ବ ଶ୍ରୀଗୁଣ୍ଡିଚା ମନ୍ଦିର ପଛପାଖ ଓ ମନ୍ଦିରର ରୋଷେଇ ଘର ପଛପଟେ ଏପରି ଭାବେ ତାଢିଛନ୍ତି ଯେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବାସହ ସାଧାରଣରେ ଅସନ୍ତୋଷ ଖେଳିଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପଛପାର୍ଶ୍ୱରୁ ଭଂଜଭବନ ଯିବା ରାସ୍ତା ଉପରେ ପ୍ରାଚୀର ନିର୍ମାଣ କରି ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରିବା ସହ ସେକ୍ଟର ଅଂଚଳରୁ ନିଷ୍କାସିତ ହେଉଥିବା ବର୍ଷା ଜଳକୁ ବନ୍ଦ କରିଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ବ୍ୟବସାୟ କରିବା ଆଳରେ ମନ୍ଦିରକୁ କ୍ଷତି ପହଞ୍ଚାଇବା ଶ୍ରଦ୍ଧାଳୁମାନଙ୍କୁ ବ୍ୟଥିତ କରିଥିବା ବେଳେ ଏହାକୁ ମନ୍ଦିର କମିଟିର ହରିହର ରାଉତରାୟ, ଆନନ୍ଦ ଚନ୍ଦ୍ର ମହାନ୍ତି, ଭରତ ମିଶ୍ର, ଅମୂଲ୍ୟ ଚରଣ ବରାଳ, ପ୍ରବୀଣ ବେଦୀ, ଭରତ ପ୍ରଧାନ, ଦେବାଶିଷ ପାଣିଗ୍ରାହୀ, ସୁଧୀର ସାହୁ, ବିନୋଦ ଅଗ୍ରୱାଲ, ହରିହର ବେହେରା, ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟଙ୍କ ସମେତ ବହୁ ଶ୍ରଦ୍ଧାଳୁ ତଥା ଜନସାଧାରଣ ଏହାକୁ ବିରୋଧ କରିଛନ୍ତି । ଦୀର୍ଘ ଦଶନ୍ଧି ଧରି ବିଶ୍ୱାସର ଧର୍ମ ପୀଠ ଶ୍ରୀଗୁଣ୍ଡିଚା ମନ୍ଦିର ତଥା ରାଧାକୃଷ୍ଣ ମନ୍ଦିରର କୌଣସି କ୍ଷତି ନ ହେଲା ଭଳି କାର୍ଯ୍ୟ କରିବାକୁ ଜନସାଧାରଣ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.