oom

ଆବାସ ଯୋଜନା ତାଲିକାକୁ ନେଇ ବଢୁଛି ଅସନ୍ତୋଷ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଲୋଇସିଂହା ବ୍ଲକ ସରପଞ୍ଚ ସଙ୍ଘର ଆହ୍ୱାନ କ୍ରମେ ଆଜି ବ୍ଲକର ୨୦ଟି ପଞ୍ଚାୟତରୁ ହଜାର ହଜାର ଜନସାଧାରଣ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନପୂର୍ବକ ଧାରଣା ଦେଇଥିଲେ । ଆବାସ ଯୋଜନା ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ନ ଥିବାରୁ ପୁନଃ ସର୍ଭେ କରାଯାଇ ନୂତନ ତାଲିକା ପ୍ରସ୍ତୁତ କରାଯିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବା ସକାଶେ ଦାବୀ କରିଛି ବ୍ଲକ ସରପଞ୍ଚ ସଂଘ । ସଂଘ ପକ୍ଷରୁ ଏ ନେଇ ବିଡ଼ିଓଙ୍କୁ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସମାବେଶରେ ସରପଞ୍ଚ ସଂଘ ସଭାପତି ସନତ ଗଡତ୍ୟାଙ୍କ ସମେତ ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ବୁଢ଼ୀପଦର ସରପଞ୍ଚ ଲକ୍ଷ୍ମୀ ପଧାନ, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଳ, ବୁର୍ଡା ସରପଞ୍ଚ ସୁଦୀପ ସା, ଯୋଗୀସର୍ଡା ସରପଞ୍ଚ ବିଜୁଳି ପଧାନ, ବାଦୀବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ, ସରଗାଡ଼ ସରପଞ୍ଚ ସରୋଜ ବେହେରା, ବାଦୀମୁଣ୍ଡା ସରପଞ୍ଚ କିରଣ ସାହୁ, ରତାଖଣ୍ଡି ସରପଞ୍ଚ ହିମାଞ୍ଚଳ ମେହେର, ରେଙ୍ଗାଲି ସରପଞ୍ଚ ଶୋଭାଗିନୀ ରାଉତଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ । ବିଡ଼ିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡ଼ିଓ ବିଜୟ କୁମାର ହୋତା ଦାବୀପତ୍ର ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଏକ ନୂତନ ତାଲିକା ପ୍ରସ୍ତୁତ କରିବା ପାଇଁ ସରପଞ୍ଚ ସଂଘ ତରଫରୁ ପୂର୍ବରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବୀପତ୍ର ଦିଆଯାଇଥିଲା ।

jittmm
Leave A Reply

Your email address will not be published.