ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳକୁ ନେଇ ଜୋର୍‌ ଧରିଲା ଛାତ୍ର ଅଶାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳକୁ ନେଇ ଜୋର୍‌ ଧରିଛି ଛାତ୍ର ଅଶାନ୍ତି । ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ କଲେଜଗୁଡିକର ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳ ପ୍ରକାଶ ହୋଇଥିବା ବେଳେ ଏଥିରେ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ବେକ୍‌ ଲାଗିଛି । ତେବେ ଏହାକୁ ନେଇ ଆଜି ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ କଲେଜଗୁଡିକର ଛାତ୍ରଛାତ୍ରୀମାନେ ପ୍ରଶାସନିକ ଭବନ ସାମ୍ନାରେ ଧାରଣା ଦେଇଥିଲେ । ପରେ ବିଶ୍ୱବିଦ୍ୟାଳୟାର କୁଳପତି ଓ ପରୀକ୍ଷା ସଂଯୋଜକ ଅକ୍ଷୟ ମିଶ୍ର ଆସି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଛାତ୍ରଛାତ୍ରୀମାନେ ଦାବୀ କରି କହିଥିଲେ ଯେ, ଯୁକ୍ତ ୩ର ତୃତୀୟ ସେମିଷ୍ଟାରର ପରୀକ୍ଷା ଫଳ ବିଶ୍ୱବିଦ୍ୟାଳୟ ତରଫରୁ ବିଳମ୍ବରେ ପ୍ରକାଶ କରାଯାଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ କିଛି ତୃଟି ରହିଛି । ନହେଲେ ବିଶ୍ୱବିଦ୍ୟାଳୟ ଅଧିନରେ ପଢୁଥିବା ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ବେକ୍‌ ଲାଗି ନଥାନ୍ତା । ତେବେ ଆମେ ବର୍ତ୍ତମାନ ଯୁକ୍ତ ୩ ଶେଷ ବର୍ଷରେ ପାଠ ପଢୁଥିବା ବେଳେ ଆମର ଯଦି ଏହି ତୃତୀୟ ସେମିଷ୍ଟାରରେ ବେକ୍‌ ଲାଗିଛି, ତା’ହେଲେ ଆମ୍ଭେମାନେ ଏହି ବେକ୍‌ ପେପର ପାଇଁ ପଢିବୁ ନା ବର୍ତ୍ତମାନର ଷଷ୍ଠ ସେମିଷ୍ଟାର ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେବୁ । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଚିତ୍‌ ପଦକ୍ଷେପ ଗ୍ରହଣ କରାଯାଇ ଆମ୍ଭମାନଙ୍କର ପରୀକ୍ଷା ଖାତାକୁ ପୁନଃ ମୂଲ୍ୟାୟନ କରାଯାଇ ସାତ ଦିନ ମଧ୍ୟରେ ପରୀକ୍ଷା ଫଳ ପୁଣି ଥରେ ପ୍ରକାଶ କରାଯାଉ ବୋଲି ଛାତ୍ରଛାତ୍ରାମାନେ ଦାବୀ କରିଥିଲେ ।

Leave A Reply

Your email address will not be published.