ଆସନ୍ତା ଡ଼ିସେମ୍ବର ୧୦ରୁ ୨୨ ଡିସେମ୍ବର ପଦ୍ମପୁର ଲୋକମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ତରଫରୁ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଲୋକମହୋତ୍ସବ ୨୦୨୩ର ରୂପରେଖ ତଥା ଚୂଡାନ୍ତ ପ୍ରସ୍ତୁତିକୁ ନେଇ ଟାଉନ୍ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ପ୍ରୀତେଶ କୁମାର ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡ଼ିସେମ୍ବର ୧୦ରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ହେବାକୁଥିବା ଲୋକମହୋତ୍ସବରେ ବାଣିଜ୍ୟମେଳା, ଖାଦ୍ୟ ମେଳା ସହ ରକ୍ତ ଦାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଆସନ୍ତା ୧୦ ତାରିଖ ସକାଳ ୭ ଘଣ୍ଟା ସମୟରେ ଗଣଦୌଡ ଓ ଅପରାହ୍ନ ୪ ଘଣ୍ଟାରେ ବାଣିଜ୍ୟ ମେଳା ଶୁଭାରମ୍ଭ ହେବ । ୧୪ ତାରିଖରେ ସାଂସ୍କୃତିକ ଶୋଭାଯାତ୍ରା, ସାମାଜିକ ବାର୍ତ୍ତା ପ୍ରଦାନ କରୁଥିବା ଝାକୀ ସହର ପରିକ୍ରମା କରିବ । ଏହି ଶୋଭାଯାତ୍ରାରେ ସ୍ଥାନୀୟ, ଜିଲ୍ଲା, ତଥା ରାଜ୍ୟ ଓ ରାଜ୍ୟ ବାହର ପ୍ରାୟ ୧୮ଗୋଟି ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି । ୧୫ ତାରିଖରୁ ୧୭ ତାରିଖ ତିନିଦିନ ଧରି ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବରଗଡ଼, ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗିର, କଟକ, ଯାଜପୁର, ପୁରୀ ସହ ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ, ପଶ୍ଚିମବଙ୍ଗ ପ୍ରଭୃତିଙ୍କ ସମେତ ସ୍ଥାନୀୟ ଅଂଚଳର ସାଂସ୍କୃତିକ ଦଳକୁ ନେଇ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାର ଚୂଡାନ୍ତ ହୋଇଛି ବୋଲି ଟାଉନ୍ କ୍ଲବ ସଭାପତି ପ୍ରିତେଶ କୁମାର ବହିଦାର ସୂଚନା ପ୍ରଦାନ କରିଛନ୍ତି । ଏହି ଲୋକମହୋତ୍ସବରେ ଡିସେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ନେଇ ରଙ୍ଗୋଲି, ଝୋଟି,ସଙ୍ଗୀତ, ଚିତ୍ରାଙ୍କନ ପ୍ରଭୃତି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏଥର ଲୋକମହୋତ୍ସବର ପ୍ରତ୍ୟେକ ଦିନ ସନ୍ଧ୍ୟାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବାଣିଜ୍ୟମେଳା, ଖାଦ୍ୟ ମେଳା ମଧ୍ୟ ଅନୁଷ୍ଠିତ ହେବାକୁ ଚୂଡାନ୍ତ ହୋଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ କୁନାଲ ପାଣିଗ୍ରାହୀ, ଆବାହକ ଅଶୋକ ମିଶ୍ର, ନାଟ୍ୟକାର ଅଶୋକ ବହିଦାର, କେଶରଂଜନ ପ୍ରଧାନ, ବରିଷ୍ଠ କଳାକାର ରମେଶ ଗୁର୍ଲା, ଡଃ ନାରାୟଣ ପୁରୋହିତ, ପ୍ରତାପ ନାଥ, କ୍ରୀଡାବିତ୍‌ ନରୋତ୍ତମ ପ୍ରଧାନ, ନରେଶ ସୁନ୍ଦର ସାହୁ, ଦିନେଶ ବାରିକ, ମଣ୍ଟୁ ପାଣ୍ଡେ ପ୍ରମୁଖ ମହୋତ୍ସବର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.