ଡୁମ୍ବେରବାହାଲ ବ୍ରିଜରେ ବିରାଟ ଗର୍ତ୍ତ ସୃଷ୍ଟି : ଗମନାଗମନ ପ୍ରତି ଘୋର ବିପଦ ଓ ଜୀବନହାନୀ ଆଶଙ୍କା, ପ୍ରଶାସନ ନିଦାବିଷ୍ଣୁ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ରାଜ୍ୟର ଗ୍ରାମାଞ୍ଚଳରେ ରାସ୍ତା ଓ ଗମନାଗମନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେଉଥିବା ଓ ଏ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଘୋଷଣା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ପ୍ରହସନରେ ପରିଣତ ହୋଇଛି ବୋଲି ମତ ପ୍ରକାଶ ପାଇଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଡୁମ୍ବେରବାହାଲ ନଦୀ ଉପରେ ଥିବା ବ୍ରିଜଟି ଏହାର ସ୍ପଷ୍ଟ ଉଦାହରଣ । ଏହି ପୋଲ ଉପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଓ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏଠାରେ ଗମନାଗମନ ପ୍ରତି ଘୋର ବିପଦ ଆଶଙ୍କା ରହିଛି ବୋଲି ମତ ପ୍ରକାଶ ପାଇଛି । ବହୁ ଦିନରୁ ଏହି ଗର୍ତ୍ତଟି ସୃଷ୍ଟି ହୋଇଥିବା ବେଳେ ଧିରେ ଧିରେ ଏହା ବଡ଼ ହେବାରେ ଲାଗିଛି ଓ ବ୍ରିଜଟି ଦୁର୍ବଳ ହେବାରେ ଲାଗିଛି । ମାଣ୍ଡୋସିଲ ଓ ଡୁମ୍ବେରବାହାଲ ମଧ୍ୟରେ ଥିବା ଏହି ରାସ୍ତା ଓ ପୋଲ ଦେଇ ପ୍ରତିଦିନ ହଜାର ହଜାର ଜନସାଧାରଣ, ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ଯାନବାହାନ ଯାତାୟାତ କରୁଥିବାରୁ ଏହି ପୋଲରେ କ୍ରମବର୍ଦ୍ଧିଷ୍ଣୁ ଗର୍ତ୍ତରେ ପଡ଼ି କେତେବେଳେ ଯେ ଜୀବନହାନୀ ହେବା ନେଇ ଲୋକଙ୍କ ମନରେ ଭାଳେଣି ପଡିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଗତ ୧୫ ବର୍ଷ ତଳେ ପ୍ରାୟ ୩୪ ଲକ୍ଷ ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ ହୋଇଥିବା ବେଳେ ନିର୍ମାଣ ସମୟରେ ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପ୍ରଥମ ବର୍ଷ ବନ୍ୟା ଦ୍ୱାରା ପୋଲର ଅଧା ଅଂଶ ଭାଙ୍ଗିଯାଇ ନଦୀରେ ଭାସି ଯାଇଥିଲା । ଫଳରେ ଏଫଡିଆର ଫଣ୍ଡରୁ ପୁନର୍ବାର ଏହାର ପୁନଃ ନିର୍ମାଣ ଓ ମରାମତି କରାଯାଇଥିଲା । ପୋଲର ସାଇଡ ୱାଲରେ ମଧ୍ୟ ଫାଟ ସୃଷ୍ଟି ହୋଇ ନଦୀପାର୍ଶ୍ବକୁ ଢଳିଯିବା ଭଳି ଲାଗୁଛି । ଗତ ଦୁଇ ବର୍ଷ ତଳେ ଏ ସମ୍ପର୍କରେ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଏହି ଗର୍ତ୍ତରେ କେବଳ ବାଳି ବସ୍ତା ପୋତି ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ଆଲୋଚନା ହେଉଛି । ବର୍ତ୍ତମାନ ସୁଦ୍ଧା କୌଣସି ମରାମତି କରାଯାଇ ନାହିଁ । ଏହା କୌଣସି ଜନପ୍ରତିନିଧିଙ୍କ ଦୃଷ୍ଟିଗୋଚରକୁ ଆସିପାରୁନାହିଁ କିମ୍ବା କେହି ମଧ୍ୟ ଏ ଦିଗରେ ଧ୍ୟାନ ଦେଉନାହାନ୍ତି ବୋଲି ମତ ପ୍ରକାଶ ପାଇଛି । ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ବରଗଡ଼ ଜିଲ୍ଲାପାଳ ଓ ବରଗଡ଼ ସାଂସଦ ଏ ଦିଗରେ ଦୃଷ୍ଟି ଦେଇ ଆଶୁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ନଚେତ ଆସନ୍ତା ପଦ୍ମପୁର ବିଧାନସଭା ଉପନିର୍ବାଚନରେ ଏହାର କୁପ୍ରଭାବ ପଡ଼ିବ ବୋଲି ଆଲୋଚନା ହେଉଛି ।