ଟିଟିଲାଗଡ଼ ସାହାରା ଅଫିସ ସାମ୍ନାରେ ଥିବା ନାଳର ଅସନା ପାଣି ଗଡୁଛି ରାସ୍ତାରେ : ଦୋକାନୀ ଓ ଜନସାଧାରଣ ମଧ୍ୟରେ ଅସନ୍ତୋଷ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ସାହାରା ଅଫିସ ସାମ୍ନାରେ ଯାଇଥିବା ନାଳର ଅସନା ପାଣି ବୋହୁଛି ରାସ୍ତା ଉପରେ । ଏନେଇ ଚା’ ଦୋକାନୀ ରବିନାରାୟଣ ମହାନ୍ତି, ଗାଡି ପାର୍ଟସ୍‌ ଦୋକାନୀ ପ୍ରଶାନ୍ତ ବେହେରା ଓ ଆଖପାଖରେ ଥିବା ସମସ୍ତ ଦୋକାନ ମାଲିକମାନେ ଭାରି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାରମ୍ବାର ପୌରପରିଷଦକୁ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ନମିଳିବା ଦୁର୍ଭାଗ୍ୟର ବିଷୟ ପାଲଟିଛି । ଏହି ଦୋକାନମାନଙ୍କୁ ଯିବାକୁ ହେଲେ ଲୋକଙ୍କ ଘରୁ ନିର୍ଗତ ହେଉଥିବା ଅସନା ପାଣି ମାଡି ଦୋକାନକୁ ଯିବାକୁ ପଡୁଛି । ଅସନା ପାଣିର ଦୁର୍ଗନ୍ଧ କହିଲେ ନସରେ । ଏହି ଅସନା ପାଣି ଯୋଗୁଁ କେବଳ ଦୋକାନୀ ନୁହନ୍ତି ଗ୍ରାହକ ଓ ରାସ୍ତାରେ ଯିବା ଆସିବା କରୁଥିବା ଲୋକ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହି ଅସୁବିଧାକୁ ପାଖାପାଖି ବର୍ଷେ ହୋଇ ଗଲାଣି ବୋଲି ଦୋକାନୀମାନେ ଅଭିଯୋଗ କରିଛନ୍ତି । ପରିତାପର ବିଷୟ ଯେ, ଟିଟିଲାଗଡ଼ ପୌରପରିଷଦକୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କିଛି ସୁଫଳ ମିଳୁନି । ପୌରପରିଷଦର ଅଧିକାରୀ ଆସି ଫଟୋ ଉଠାଇ ନେଇକି ଖାଲି ଯିବା ସାର ହେଉଛି କିନ୍ତୁ ନାଳ ସଫା ହୋଇପାରୁନି କିପରି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ସ୍ୱଚ୍ଛତା ଅଭିଯାନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଅଞ୍ଚଳରେ କାହିଁକି ହେଉନି, ଦିନ ପରେ ମାସ, ମାସ ପରେ ବର୍ଷ ବିତି ଯାଇଥିଲେ ହେଁ ଆଜି ଯାଏଁ କିଛି ପଦକ୍ଷେପ ନ ନେବା କେତେ ଦୂର ଠିକ୍‌, ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କେବଳ ଫଟୋରେ ରହିଛି କି ବୋଲି ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଏ ଦିଗରେ ଯଥା ଶୀଘ୍ର ଦୃଷ୍ଟି ଦେଇ ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.