jayashree

ଅସହ୍ୟ ହେଲା ଯୌତୁକ ନିର୍ଯ୍ୟାତନା : ପ୍ରେମ ବିବାହର ୪ ବର୍ଷ ପରେ ଯୁବତୀଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

ମୁନିଗୁଡ଼ା, (ରମାକାନ୍ତ ପଡାଲ) : ଅସହ୍ୟ ହେଲା ଯୌତୁକ ନିର୍ଯ୍ୟାତନା । ବିବାହର ୪ ବର୍ଷ ପରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ପରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ମୃତକ ଜଣକ ହେଲେ ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ୱାଦଳା ଥାନା ଅନ୍ତର୍ଗତ ରଘୁବାରି ପଞ୍ଚାୟତ ଖଲିଆଗୁଡା ଗ୍ରାମର ପରଖିତ ବିଭାରଙ୍କ ଝିଅ ସନିଆ ବିଭାର । ସୂଚନା ଅନୁଯାୟୀ ୪ ବର୍ଷ ତଳେ ସନିଆ କୁଡୁବାରୁ ଗ୍ରାମର ଅକୁର କୁଲଦିପିଆଙ୍କ ପୁଅ ଆଶିନ କୁଲଦିପିଆଙ୍କୁ ପ୍ରେମ ବିବାହ କରିଥିଲେ । ଦୀର୍ଘ ଦିନ ହେଲା ସ୍ଵାମୀ, ଶଶୁର, ଶାଶୁ ମିଶି ମୃତ ସନିଆଙ୍କୁ ଯୌତୁକ ନିର୍ଯ୍ୟାତନା ଯନ୍ତ୍ରଣା ଦେବା ସହ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ସନିଆ ଚଳିତ ବର୍ଷ ଦୀପାବଳି ଦିନ ନିଜ ବାପଘର ଖଲିଆଗୁଡାକୁ ପଲାଇ ଆସିଥିଲେ । ଏହାକୁ ଆଧାର କରି କାହିଁକି ଆସିଥିଲେ ସନ୍ଦେହ କରି ପରିବାର ବର୍ଗ ଅଭିଯୋଗ କରିଛନ୍ତି । ବାପ ଘରେ କିଛିଦିନ ରହିବା ପରେ ସମସ୍ୟାର ସମାଧାନ କରିବା ପାଇଁ ଆଶିନ ଖଲିଆଗୁଡା ଗ୍ରାମକୁ ଯାଇ ନିଜ ସ୍ତ୍ରୀ ସନିଆକୁ ବୁଝାସୁଝା କରି ଘରକୁ ଡ଼ାକି ନେଇଥିଲେ । ହେଲେ ଶନିବାର ଦିନ କୁଡୁବାରୁ ଗାଁ ନିକଟରେ ଆଦିବାସୀ ସାହି ପାଖ ଏକ ଡିମିରି ଗଛରେ  ଝୁଲନ୍ତା ଅବସ୍ଥାରେ ସନିଆଙ୍କ ମୃତ ଦେହ ରହିଥିବା ପରିବାର ଲୋକ ଶୁଣିବାକୁ ପାଇଥିଲେ ପରେ ଅମ୍ୱାଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ କହିବା କଥା ଅନୁସାରେ ମୃତ ସନିଆ ପିନ୍ଧି ଥିବା ବସ୍ତ୍ର ଶଶୁର ଘର ଲୋକେ ବଦଳାଇ ଦେଇଥିଲେ ଓ ଏହାକୁ ତଦନ୍ତ କରି ପୋଲିସ ପଚରାଉଚରା କରିବାରୁ ଯେଉଁ ବସ୍ତ୍ର ପିନ୍ଧି ମୃତ୍ୟୁ ବରଣ କରିଥିଲେ ତାହା ଶଶୁର ଘର ଲୋକେ ପୋଲିସକୁ ହସ୍ତାନ୍ତର କରିଥିଲେ । ସେନେଇ ପରିବାର ଲୋକେ ଶଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବିଷମ କଟକ ଏସ୍‌ଡିପିଓ ସନ୍ତୋଷିନୀ ଓରାମଙ୍କ ସମେତ ଅମ୍ୱାଦଳା ଥାନା ଆଇଆଇସି କଳ୍ପନା ବେହେରା, ଏଏସ୍‌ଆଇ ପ୍ରଶାନ୍ତ ପାଢ଼ୀ, ହୋମଗାର୍ଡ ରୋମିୟ ନାୟକ, ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ପୋଲିସ ଛାନ୍‌ଭିନ୍ ତଦନ୍ତ ଆରମ୍ଭ କରିଛି । ସନିଆ ୪ ବର୍ଷ ହେବ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ୨ ବର୍ଷର ଏକ କୁନି ଝିଅ ଟିଏ ଅଛି । ଶାଶୁ, ଶଶୁର, ସ୍ଵାମୀଙ୍କ ନିର୍ଯ୍ୟାତନା ସହି ନପାରି ବାପ ଘରକୁ ଆସିବା ପରେ ସ୍ଵାମୀ ଆଶିନ ସାନିଆକୁ ଡାକି ନେବା, ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ନେଇ ଓ ସନ୍ଦେହ କରି ବିଭିନ୍ନ ପାରିପାଶ୍ୱିର୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୌତୁକ ପାଇଁ ସନିଆକୁ ହତ୍ୟା କରାଯାଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଦିଗରେ ପୋଲିସ ପ୍ରଶାସନ ମୃତ ସନିଆଙ୍କ ହତ୍ୟାକାରୀଙ୍କୁ ତଦନ୍ତ କରି ଗିରଫ୍ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.