ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଚାରପାଲି ଗ୍ରାମରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାର ମୃତ ଶରୀର ପଡିରହିଥିଲା । ଖବର ପାଇ ସଂକଳ୍ପ ପରିବାରର ସ୍ୱେଚ୍ଛାସେବୀମାନେ ତାଙ୍କର ଶବ ସତ୍କାର କରିଥିଲେ ।
ସୂଚନା କ୍ରମେ ବରଗଡ଼ ସଦରଥାନା ଅନ୍ତର୍ଗତ ଚାରପାଲି ଗ୍ରାମରେ ଗୋପୀନାଥ ମେହେରଙ୍କ ଘରେ ଭବାନୀପାଟଣା ଅଞ୍ଚଳରୁ ଆସି ବିଜୟ ପଧାନ ଓ ତାଙ୍କର ସ୍ତ୍ରୀ ପ୍ରଫୁଲ୍ଲ ପଧାନ ସମେତ ଦୁଇଝିଅ ଓ ଗୋଟେ ପୁଅ ସହିତ ଭଡା ଘରେ ରହିଆସିଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ମୂଳ ଲାଗି ନିଜର ପରିବାର ପୋଷଣ କରୁଥିଲେ । ଦୀର୍ଘ ୬ମାସ ହେଲା ବିଜୟ ପଧାନ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡିରହିବା ପରେ ସ୍ତ୍ରୀ ପ୍ରଫୁଲ୍ଲଙ୍କ ଉପରେ ପରିବାର ଚଳାଇବା ସହିତ ନିଜର ରୋଗାଗ୍ରସ୍ତ ସ୍ୱାମୀର ଚିକିତ୍ସା ଦାୟିତ୍ୱ ରହିଥିଲା ମାତ୍ର ତାଙ୍କର ମଧ୍ୟ ଶରୀର ଅସୁସ୍ଥ ରହୁଥିବା ବେଳେ ଏକମାତ୍ର ପୁଅ ରାକେଶ ରୋଜଗାର ପାଇଁ ତାମିଲନାଡୁକୁ ଚାଲିଯାଇଥିଲା ଏପରି ସମୟରେ ୧୮ବର୍ଷୀୟ ଝିଅ ଋତୁ ପଧାନ ଅନ୍ୟ ଘରେ ବାସନ ସଫା କରି ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ନିଜର ରୁଗୁଣ ବାପା ମା’ଙ୍କ ଔଷଧ କରିବା ସହିତ ସାନ ଭଉଣୀର ଲାଳନ ପାଳନ ଦାୟିତ୍ୱ ତୁଲାଇ ଆସୁଥିଲା । କିନ୍ତୁ ଆଜି ଶଯ୍ୟାଶାୟୀ ବାପା ବିଜୟ ପଧାନଙ୍କ ଦିନ ୧୧ଟାରେ ମୃତ୍ୟୁବରଣ ହୋଇଥିବା ବେଳେ ଘରେ କେହି ପୁରୁଷ ଲୋକ ନଥିବାରୁ ତାଙ୍କର ମୃତ ଶରୀର ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ପଡିରହିଥିଲା ଓ ମୃତ ଶବ ପାଖରେ ଦୁଇ ଝିଅ ସହିତ ମା’ ବସି କୋହଭରା ସ୍ୱରରେ କାନ୍ଧୁଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ଏଠାରେ ତାଙ୍କର କୌଣସି ସମ୍ପର୍କୀୟ ନଥିବାରୁ ଆଶ୍ୱାସନା ଦେବାକୁ ମଧ୍ୟ କେହି ନଥିଲେ ଏପରି ସମୟରେ ସ୍ଥାନୀୟ ସହୃଦୟ ବ୍ୟକ୍ତି ପଲସ୍ତି ପଧାନଙ୍କ ଠୁ ଖବର ପାଇଁ ସଂକଳ୍ପପ ପରିବାରର ସଦସ୍ୟମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ ଓ ସଦର ଥାନା ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ଓ ତାଙ୍କର ଅନୁରୋଧ କ୍ରମେ ସ୍ଥାନୀୟ ସରସରା କେନାଲ କଡରେ ମୃତ ବିଜୟ ପଧାନଙ୍କ ସସମ୍ମାନେ ଶବ ସତ୍କାର କରିଥିଲେ । ଏଥିରେ ସଂକଳ୍ପ ପରିବାରର ଜି.ରମେଶ, ବିକାଶ ଅଗ୍ରୱାଲ, ରଞ୍ଜିତ ସାହୁ, ନିଲେସ ପଧାନ, ଅନନ୍ତ ସାହୁ ସମେତ ସ୍ଥାନୀୟ ବାସିନ୍ଦା ସୁବଳ ଭୋଇ, ପ୍ରମୋଦ ଭୋଇ, ପଲସ୍ତି ପଧାନ, କିରଣ ମେହେର ପ୍ରମୁଖ ସହଯୋଗର ହାତ ବଢାଇଥିଲେ ।