ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଖପ୍ରାଖୋଲ ବ୍ଲକର ସମସ୍ତ ଗାଁକୁ ପରିକ୍ରମା ଆରମ୍ଭ କଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏଥିପାଇଁ ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ଆଜିଠାରୁ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଖପ୍ରାଖୋଲ ବ୍ଲକ ଅଞ୍ଚଳର ପ୍ରତ୍ୟେକ ଗ୍ରାମ ପରିକ୍ରମା କରିବା ସହ ଶ୍ରଦ୍ଧାଳୁଙ୍କଠାରୁ ଗୁଆ ଓ ଅକ୍ଷତ ସଂଗ୍ରହ କରିବ । ସଂଗୃହୀତ ଗୁଆ ଓ ଅକ୍ଷତକୁ ମନ୍ଦିରମାନଙ୍କରେ ରଖାଯିବ ଏବଂ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଏହାକୁ ଲୋକାର୍ପଣ ଦିନ ପୁରୀରେ ପହଞ୍ଚାଯିବ ବୋଲି ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକାଶ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତକୁ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି । ଏହି ସମୟରେ ରଥ ବିଭିନ୍ନ ଗ୍ରାମରେ ପହଞ୍ଚିବା ପରେ ସଂକୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, କାହାଳି ସାଙ୍ଗକୁ ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିଲା । ପ୍ରତ୍ୟେକ ଗ୍ରାମରେ ଏହି ରଥକୁ ଧୂପ, ଦୀପ ସହ ପୁଷ୍ପମାଳ ଦେଇ ଲୋକେ ଭରପୁର ସ୍ୱାଗତ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏଥିପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗଳିଗୁଆ ପ୍ରଦାନ କରାଯାଇଥିଲା । ଖପ୍ରାଖୋଲ ବ୍ଲକରେ ମୋଟ ୫ଟି ରଥ ପର୍ଯ୍ୟାୟକ୍ରମେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୨୧ଟି ପଞ୍ଚାୟତ ପରିକ୍ରମା କରିବ ଓ ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଓ ଗଳିଗୁଆ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ ଅବସରରେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଲାଠୋର ଥାନାଧିକାରୀ ଝସକେତନ ଭୋଇ, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ଖପ୍ରାଖୋଲ ବ୍ଲକ ଉପାଧକ୍ଷ ସୁଖୀରାମ ଷାଣ୍ଢ, ବିଧାୟକ ପ୍ରତିନିଧି ରମେଶ ପଧାନ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.