jayashree

ଭୂତକୋଠି ପାଲଟିଛି ଆରୋଗ୍ୟ ମନ୍ଦିର

ତୁରେକେଲା, (ପିତାମ୍ବର ଦୀପ) : ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ଠପ୍‌ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତର ଦେବା ବଦଳରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତୁରେକେଲା ବ୍ଲକ ମହୁଲପାଟି ଗାଁରେ ପ୍ରାୟ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଚାଷବାସ ଉପରେ ନିର୍ଭର କରି ଚଳିବା ସହ ଗରିବ ଲୋକେ ଦାଦନ ମଧ୍ୟ ଯିବାର ନଜିର ରହିଛି । ତେବେ ସେହି ଗାଁରେ ଅବସ୍ଥିତ ଆରୋଗ୍ୟ ମନ୍ଦିର ପଲଟିଛି ଭୂତକୋଠି । ଏହା ସପ୍ତାହକୁ ଥରେ ମାତ୍ର କାଁ ଭାଁ ଖୋଲା ଯାଉଛି ଓ ଅଳିଆ ଆବର୍ଜନା ପଡିରହିଛି । ଛାତ ଆଁ କଲାଣି, ବର୍ଷା ଋତୁରେ ପାଣି ଗଳୁଛି, ବିଦ୍ୟୁତ ତାର ସାମଗ୍ରୀ ଚୋର ଚୋରି କରି ନେଇ ଗଲେଣି । ତେବେ ଏହି କେନ୍ଦ୍ର ନାହିଁ ନାହିଁରେ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ସରକାର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଏହି କେନ୍ଦ୍ର ଅବହେଳିତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି । ଏହି କୋଠା ଏତେ ବିପଦପୂର୍ଣ୍ଣ ଯେ, କେତେ ବେଳେ କାହାର ମୁଣ୍ଡରେ ଅତଡା ଖସିବ କିଏ କହିବ ? ଶୀଘ୍ର ଏହି କୋଠାକୁ ମରାମତି କିମ୍ବା ଅନ୍ୟତ୍ର ଏକ କୋଠା ନିର୍ମାଣ ପାଇଁ ସାଧାରଣରେ ଦାବୀ ହେଉଛି । ଗାଁ ଲୋକଙ୍କ କହିବା ଅନୁସାରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନିୟମିତ ଅସୁନାହାନ୍ତି ଓ ସପ୍ତାହରେ କେବଳ ଦିନେ ଆସୁଥିବା ଲୋକେ କହିଛନ୍ତି । ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାର୍ତ୍ତିକେଶ୍ୱର ବାରିକଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ଏନ୍‌ଏମ୍‌ ଦିଦି ଚନ୍ଦ୍ରାବତୀ ନାଗଙ୍କ କହିବା ହେଲା ଏହି ବିପଦ ସଂକୁଳ କୋଠାରେ ଗର୍ଭବତୀ ମହିଳା ଓ ଶିଶୁକୁ ବିପଦପୂର୍ଣ୍ଣ ଅବସ୍ଥାରେ ଚିକିତ୍ସା କିମ୍ବା ଟୀକା ଦେବାକୁ ବାଧ୍ୟ ହେଉଛୁ । ଆଉ ଅନ୍ୟପକ୍ଷରେ ଆଉ ଏକ କୋଠା ମହୁଲବାହେଲି ଗାଁ ପାଖ ସାହି ସର୍ଗିପଡ଼ାରେ ଅଧପନ୍ତରିଆ ହୋଇ ରହିଥିବା କହିଛନ୍ତି । ଏହି ନୂତନ କୋଠା ନିର୍ମାଣ ହେଲେ ଲୋକେ ଉପକୃତ ହେବେ ଓ ଉତ୍ତମ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ଲୋକେ ପ୍ରକାଶ କରିଛନ୍ତି । ତେଣୁ ଶୀଘ୍ର ନୂତନ ଅଧପନ୍ତରିଆ କୋଠାକୁ ନିର୍ମାଣ କରି ସ୍ୱାସ୍ଥ୍ୟସେବା ସ୍ୱଭାବିକ ରଖିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.