ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ କ୍ରୀଡା ସଂଗଠନ ସ୍ପୋର୍ଟସ ଫେଡେରେସନ ଅଫ୍ ରାଉରକେଲା ତରଫରୁ କୋଏଲନଗର ସ୍ଥିତ ଏ ବ୍ଲକ ଦୁର୍ଗାପୂଜା ପଡିଆଠାରେ ସପ୍ତମ କୋଏଲ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଆଜି ଠାରୁ ଆରମ୍ଭ ହୋଇଛି । ଏହି ଚମ୍ପିୟାନସିପ ରେ ପ୍ରାୟ ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି । ଉଦଘାଟନୀ ମ୍ୟାଚରେ ବିଦ୍ୟାଷ୍ଟଡି ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ଦାସ ମୁଖ୍ୟଅତିଥି, ପ୍ରାକ୍ତନ ଉପନଗରପାଳ ରାଜେନ୍ଦ୍ର ନାରାୟଣ ମିଶ୍ର, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି କୁଞ୍ଜବିହାରୀ ରାଉତ, ଶିକ୍ଷକ ଅକ୍ଷୟ କୁମାର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କ୍ରୀଡା କିପରି ଆମ ଜୀବନର ଅବିଚ୍ଛେଦ ଅଙ୍ଗ, ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ ସହାୟକ ତଥା ଶାରିରୀକ ଓ ମାନସିକ ସନ୍ତୁଳନ ରକ୍ଷା କରିବାରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ସୁମନ୍ତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ପ୍ରଧ୍ୟାପକ ରଶ୍ମିରଞ୍ଜନ ରାଉତଙ୍କ ସଂଯୋଜନାରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଏହା ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ, ଏହି ଟୁର୍ଣ୍ଣାମେଣ୍ଟରେ କେବଳ ପୁରୁଷ ବିଭାଗରେ ଡବଲ (ଯୁଗ୍ମ) ଖେଳାଳି ଭାଗନେଇ ପାରିବେ । ଏହି ପ୍ରତିଯୋଗିତାରେ ଚମ୍ପିୟାନ ଦଳକୁ ଚମ୍ପିୟାନ ଟ୍ରଫି ସହ ନଗଦ ୧୦ହଜାର ଟଙ୍କା, ରନର୍ସ ଅପ୍ ଦଳକୁ ରନର୍ସ ଟ୍ରଫି ସହ ନଗଦ ୬ ହଜାର ଟଙ୍କା ପୁରସ୍କାର ଦିଆଯିବ । ସେହିପରି ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଓ ଶ୍ରେଷ୍ଠ ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କାର ପ୍ରଦାନ କରାଯିବ । ଏହି ପ୍ରତିଯୋଗିତାକୁ ପରିଚାଳନାରେ ଶଶାଙ୍କ ଶେଖର ଦାସ, ଶକ୍ତିକାନ୍ତ ରାଉଳକୁ, ତୁଷାରକାନ୍ତି ବେହେରା, ଅଶୋକ ରଥ, ସତିଶ ସାହୁ, ଶ୍ରୀମସ୍ମିତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।