ରାଉରକେଲା, (ସସ୍ମିତା ପ୍ରଧାନ) : କାର୍ମେଲ ସ୍କୁଲ, ଜଲଦା ପ୍ରାୟୋଜିତ ସିଆଇଏସସିଇ ଦ୍ୱାରା ପରିଚାଳିତ ଦ୍ୱିଦିବସୀୟ ଆଞ୍ଚଳିକ କ୍ରୀଡା ପ୍ରତିଯୋଗିତା ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି । ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଜୟସିଲିଆ ଏସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାରେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ସହ ମଶାଲର ଅଗ୍ନି ସଂଯୋଗ କରି କ୍ରୀଡାର ଶୁଭାରମ୍ଭ କରିଥିଲେ । ମୁଖ୍ୟଅତିଥି ପ୍ରଫେସର ରାଓ ଏହି ଅବସରରେ ପ୍ରତିଯୋଗୀଙ୍କୁ କହିଲେ ଯେ ଖେଳ ମାଧ୍ୟମରେ ଐକ୍ୟବଦ୍ଧତା, ଭାଇଚାରା ସୃଷ୍ଟି ସହ ଶାରିରୀକ ଓ ମାନସିକ ଶକ୍ତି ବୃଦ୍ଧି ଘଟିଥାଏ । ହାରିବା ଜିତିବା ବଡ଼କଥା ନୁହେଁ, ହାରିଲେ ତା’ର କାରଣ ଖୋଜି ଆଗକୁ ବଢ଼ିବା ହେଉଛି ଖେଳାଳିଙ୍କ ଲକ୍ଷ୍ୟ ହେବା ଦରକାର । ଏଥିପାଇଁ ସେ ନିକଟରେ ଶେଷ ହୋଇଥିବା ଭାରତ ଇଂଲଣ୍ଡ କ୍ରିକେଟ ମ୍ୟାଚର ଉଦାହରଣ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷା ସିଷ୍ଟର ଜୟସିଲିଆ ଏସି ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରି ସ୍କୁଲର କ୍ରୀଡା ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ୫ଟି ଜୋନ୍ ଝାରସୁଗୁଡ଼ା, ବାଲେଶ୍ଵର, ବଲାଙ୍ଗିର, ରାୟଗଡ଼ା ଓ ରାଉରକେଲାର ପ୍ରାୟ ୩୮୫ ଜଣ ପ୍ରତିଯୋଗୀ ୧୦୦, ୨୦୦, ୪୦୦, ୮୦୦, ୧୫୦୦, ୩୦୦୦ ମିଟର ଦୌଡ଼ ପ୍ରତିଯୋଗିତା, ୩ କିମି ଓ ୫ କିମି ଚାଲିବା ପ୍ରତିଯୋଗିତା, ୪୦୦ ମି ରିଲେ ରେସ, ଲଙ୍ଗଜମ୍ପ, ହାଇଜମ୍ପ, ଟ୍ରିପଲ୍ ଜମ୍ପ, ସଟଫୁଟ୍, ଡିସକସ୍, ଜାଭେଲିନ୍, ୪୦୦ର ୪ ଗୁଣା ରିଲେ ରେସରେ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍କୁଲର ଉପାଧ୍ୟକ୍ଷା ସିଷ୍ଟର ଆପୋଲୋନିକା ଏସି, ଫାଦର ସମୀର ତିର୍କି, ଫାଦର ବିନିତ, ବ୍ରଦର ବିମଲ ଟପ୍ପୋ, ସିଷ୍ଟର ପ୍ରିସିଲା, ସିଷ୍ଟର ବିନୟ ପ୍ରମୁଖ ଉପସ୍ଥିତ ଥିଲାବେଳେ ଜିତେନ୍ଦ୍ର ଦାସ, ଶୁଭଶ୍ରୀ ମହାନ୍ତି, ରେଣୁବାଳା ନାୟକ, ଶକୁନ୍ତଳା ଉପାଧ୍ୟାୟ, କୋଚ୍ ଶିବ ମିଶ୍ର, ଜନ୍ମେଜୟ ମହନ୍ତ ଓ ଅନ୍ୟମାନେ ଏହି କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ସେଲିନା ପୁଷ୍ପା ଲାକ୍ରା ଓ ଖୁସୁବୁ କର ମଞ୍ଚ ପରିଚାଳନା କରିଥିଲେ ।

Next Post