ସର୍ବଭାରତୀୟ ଓପନ କରାଟେ ଆରମ୍ଭ

ଭୁବନେଶ୍ୱର : ଉତ୍କଳ କରାଟେ ସ୍କୁଲ ଆନୁକୂଲ୍ୟରେ ବୁଧବାର ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନସିପ୍‌ ଆରମ୍ଭ ହୋଇଯାଇଛି । ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା, ଗୁଜରାଟ, ଝାଡ଼ଖଣ୍ଡ, ବିହାର ଆଦି ୪ ରାଜ୍ୟରୁ ୮୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ମହିଳା ଓ ପୁରୁଷ ବର୍ଗରେ ପାଖାପାଖି ୧୦୦ ବିଭାଗରେ ପ୍ରତିଯୋଗିତା ହେଉଛି । ୪ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତା ୨୫ ତାରିଖରେ ଶେଷ ହେବ । ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କ ସହ ଓଡ଼ିଶା କରାଟେକାଙ୍କର ଲଢ଼ିବା ସୁଯୋଗ ସୃଷ୍ଟି ଏହି ପ୍ରତିଯୋଗିତା ଆୟୋଜନର ମୁଖ୍ୟ ଲକ୍ଷ୍ୟ ବୋଲି ଉତ୍କଳ କରାଟେ ସ୍କୁଲ ମୁଖ୍ୟ ହରିପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହାଦ୍ୱାରା ରାଜ୍ୟ ଖେଳାଳିଙ୍କ ଅଭିଜ୍ଞତା ବଢ଼ିବ ବୋଲି ସେ କହିଛନ୍ତି । ନିକଟରେ ଉଜବେକିସ୍ତାନରେ ଅନୁଷ୍ଠିତ ଏସୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାର ଭାଲେନା ଭାଲେଣ୍ଟିନା ଓ ମଧୁପ୍ରିୟା ବାଇ ଭାଗ ନେଇଥିଲେ । ଭାଲେନା ମହିଳା ବ୍ୟକ୍ତିଗତ କାଟାରେ ୧୦ମ ସ୍ଥାନ ଏବଂ ମଧୁପ୍ରିୟା ଜୁନିୟର ମହିଳା କାଟାରେ ୯ମ ସ୍ଥାନରେ ରହିଥିଲେ । ତେବେ ଖୁସି ଖବର ହେଲା ରାଜୀ ସିଂ ଏସୀୟ ଜଜ୍‌ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ କୁମିତେ ଜଜ୍‌-ବି ମାନ୍ୟତା ପାଇବା ସହ ଏସୀୟ ପ୍ରତିଯୋଗିତା ପରିଚାଳନା ଅନୁମତି ପାଇଥିଲେ । ଉତ୍କଳ କରାଟେ ସ୍କୁଲ ଏବଂ ରାଜ୍ୟ ଆସୋସିଏସନ ପକ୍ଷରୁ ରାଜୀବଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.