ବରଗଡ଼ ଜିଲ୍ଲାରେ ଆସନ୍ତା ୨୫ରୁ ଖରିଫ ଧାନ କିଣା ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ନଭେମ୍ବର ୨୫ ତାରିଖରୁ ବରଗଡ଼ ଜିଲ୍ଲାର ଅତାବିରା ଆରଏମସିର ଅତାବିରା ମାର୍କେଟ ୟାର୍ଡରୁ ଖରିଫ ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭେଡେନ ମାର୍କେଟ ୟାର୍ଡରୁ ୨୬ ତାରିଖ ଧାନ କିଣା ଯିବ । ସେହିପରି ବରଗଡ଼ ଆରଏମସି ଅନ୍ତର୍ଗତ ବରଗଡ଼ ମାର୍କେଟ ୟାର୍ଡରୁ ୨୯ ନଭେମ୍ବର, ଅମ୍ବାଭୋନା ମାର୍କେଟ ୟାର୍ଡରୁ ୬ ଡିସେମ୍ବର, ବରପାଲି ଓ ଭଟଲିରେ ୨ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହେବ । ପଦ୍ମପୁର ଆରଏମସି ଅନ୍ତର୍ଗତ ବିଜେପୁର ମାର୍କେଟ ୟାର୍ଡରେ ଡିସେମ୍ବର ୪ ତାରିଖରୁ ଗାଇସିଲେଟରେ ୭ ଡିସେମ୍ବର, ଝାରବନ୍ଧରେ ୪ ଡିସେମ୍ବର, ପଦ୍ମପୁରରେ ୩ ଡିସେମ୍ବର, ପାଇକମାଲରେ ୩ ଡିସେମ୍ବର ଏବଂ ସୋହେଲା ମାର୍କେଟ ୟାର୍ଡରୁ ୨ ଡିସେମ୍ବରରୁ ଖରିଫ ଧାନ କିଣା କାର୍ଯ୍ୟ ହେବ । ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଜିଲ୍ଲାରେ ୧୪,୦୧,୧୩୦ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଜିଲ୍ଲାର ୨୦୫ଟି କେନ୍ଦ୍ରରେ କିଣା ଯିବ । ସେଥିମଧ୍ୟରେ ବରଗଡ଼ ଉପଖଣ୍ଡରେ ୧୨୮ ଓ ପଦ୍ମପୁର ଉପଖଣ୍ଡରେ ୭୭ ସଂଗ୍ରହ କେନ୍ଦ୍ର ରହିଛି । ଧାନ କିଣାବା ପାଇଁ ୫୮ଟି ପ୍ୟାକ୍ସ ଓ ୨୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପଞ୍ଜିକରଣ କରାଯାଇଛି । ସେହିପରି ଧାନ କିଣାବା ପାଇଁ ଜିଲ୍ଲାର ୧୧୨ଟି ମିଲର ରହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ୬୫,୦୮,୮୨୩ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ଚଳିତ ବର୍ଷ ଜିଲ୍ଲାରୁ ୬୧,୪୧,୦୨୧ କ୍ଵିଣ୍ଟାଲ ଧାନ ଉତ୍ପାଦନ ହେବ ବୋଲି ଆକଳନ ରହିଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

error: Content is protected !!