ommm
jittmm

ସାଇବର ଠକେଇ ବିରୋଧରେ ସୁରକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ “ଡିଜିରକ୍ଷା” ଅଭିଯାନ ଆରମ୍ଭ

  • ତିନି ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସାଇବର ଅପରାଧରୁ ଜନସାଧାରଣଙ୍କୁ ସଚେତନ ଏବଂ ସୁରକ୍ଷିତ କରିବା ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । “ଡିଜିରକ୍ଷା – ସାଇବର ଠକେଇରୁ ସୁରକ୍ଷା ପାଇଁ ଏକ ପଦକ୍ଷେପ” ନାମକ ଏକ ଅଭିଯାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ସଂସ୍କୃତି ଭବନଠାରେ ଗତକାଲିଠାରୁ ୩ ଦିନିଆ ତାଲିମ ତଥା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ପ୍ରଥମ ଦିନରେ ଜିଲ୍ଲାର ୭ଟି ବ୍ଲକରୁ ପ୍ରାୟ ୩୪୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ପୋଲିସ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଷମା ବିଲୁଙ୍ଗ, ଏଲ ଡି ଏମ ଗଗନ ବିହାରୀ ଧଳ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଓଡ଼ିଶା ଜୀବିକା ମିଶନ ସାମୁଏଲ ଟପ୍ପ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ଦିତ୍ୱିୟ ଦିନରେ ୬ଟି ବ୍ଲକରୁ ପ୍ରାୟ ୩୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ମିଶନ ଶକ୍ତିର ଅନ୍ୟାନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସାଇବର ବିଶେଷଜ୍ଞ ଏବଂ ବୈଷୟିକ ଅଧିକାରୀମାନେ ସ୍ଥାନୀୟ ଭାବରେ ରିପୋର୍ଟ ହୋଇଥିବା ପ୍ରକୃତ ସାଇବର ଠକେଇ ମାମଲାଗୁଡ଼ିକ ବିଷୟରେ କହିବା ସହ ଅଂଶଗ୍ରହଣକାରୀ ମାନଙ୍କୁ ସତ୍ୟ ଘଟଣା ସହିତ ସଂଯୋଗ କରି ସଚେତନ କରିଥିଲେ । କିପରି ସାମାନ୍ୟ ଅବହେଳା – ଯେପରିକି ଅଜଣା ଲିଙ୍କରେ କ୍ଲିକ୍ କରିବା, ଅଜଣା କଲରେ ଓ ଟି ପି ସେୟାର କରିବା, କିମ୍ବା ସୋସିଆଲ ମିଡିଆରେ ବ୍ୟକ୍ତିଗତ ସୂଚନା ସେୟାର କରିବା ଜଣେ ବ୍ୟକ୍ତିର ବଡ଼ ଆର୍ଥିକ କ୍ଷତି କରିପାରେ ସେ ସଂପର୍କରେ ଅବଗତ କରାଇଥିଲେ । ବିଶେଷଜ୍ଞମାନେ ଓ ଟି ପି ଠକେଇ, ୟୁ ପି ଆଇ ଠକେଇ, ଫିସିଂ ୱେବସାଇଟ୍, ନକଲି ଗ୍ରାହକ ସେବା କଲ୍, ହ୍ୱାଟ୍ସଆପ୍ ହ୍ୟାକିଂ ଏବଂ ଅନଲାଇନ୍ ଲଟେରୀ ଭଳି ଠକେଇ ମାଧ୍ୟମରେ ଠକମାନଙ୍କ ଦ୍ୱାରା କରାଯାଉଥିବା ସାଇବର ଅପରାଧ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ଏହା ସହିତ, ଆଜିକାଲି ଅପରାଧୀମାନେ ଭ୍ରମାତ୍ମକ ୱେବସାଇଟ୍ ଏବଂ ନକଲି ଆପ୍ଲିକେସନ୍ ମାଧ୍ୟମରେ ଲୋକଙ୍କ ବ୍ୟାଙ୍କ ସୂଚନା ଚୋରି କରି ସେମାନଙ୍କ ଆକାଉଣ୍ଟରୁ କିପରି ଟଙ୍କା ଉଠାଇ ନେଉଛନ୍ତି ସେ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଡିଜିଟାଲ୍ ଦୁନିଆରେ ମହିଳାମାନେ କିପରି ସୁରକ୍ଷିତ ରହିପାରିବେ ସେ ସମ୍ବନ୍ଧରେ ମଧ୍ୟ କୁହାଯାଇଥିଲା । ଯେପରିକି- ଆପଣଙ୍କ ଓ ଟି ପି କିମ୍ବା ବ୍ୟକ୍ତିଗତ ବିବରଣୀ କାହା ସହିତ ସେୟାର କରିବେ ନାହିଁ । ଅଜଣା ଲିଙ୍କ୍ କିମ୍ବା ଆପ୍ଲିକେସନ୍ ଡାଉନଲୋଡ୍ କରିବାରୁ ଦୂରେଇ ରହିବେ । କେବଳ ଅଧିକୃତ ଉତ୍ସରୁ ବ୍ୟାଙ୍କ କିମ୍ବା ସରକାରୀ ପ୍ରତିଷ୍ଠାନର ୱେବସାଇଟ୍ ଆକ୍ସେସ୍ କରିବେ।ସାଇବର ଅପରାଧ ବିଷୟରେ ଜାଣିଲେ, ତୁରନ୍ତ www.cybercrime.gov.in ରେ ଅଭିଯୋଗ ଦାଖଲ କରିବେ କିମ୍ବା ୧୯୩୦ ଟୋଲ୍-ଫ୍ରି ନମ୍ବରରେ କଲ୍ କରିବେ । ଜଣେ ସଚେତନ ନାଗରିକ କେବଳ ନିଜକୁ ନୁହେଁ ବରଂ ତାଙ୍କ ସମଗ୍ର ପରିବାର ଏବଂ ସମ୍ପ୍ରଦାୟକୁ ସାଇବର ଠକେଇରୁ କିପରି ରକ୍ଷା କରିପାରିବେ ସେ ବିଷୟରେ ଅବଗତ କରାଯାଇଥିଲା । ଅଂଶଗ୍ରହଣକାରୀମାନଙ୍କୁ ଡିଜିଟାଲ୍ ସେବାର ନିରାପଦ ବ୍ୟବହାର ବିଷୟରେ ମଧ୍ୟ ଶିକ୍ଷା ଦିଆଯାଇଥିଲା । “ଡିଜିରକ୍ଷା” ଅଭିଯାନ ଅଧୀନରେ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ, ପଞ୍ଚାୟତ ଏବଂ ଗାଁରେ ପର୍ଯାୟକ୍ରମେ ଏପରି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିସହ ବିଦ୍ୟାଳୟ ଖୋଲିବା ପରେ ବିଦ୍ୟାଳୟ ସ୍ତରରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ବିଷୟରେ ସଚେତନ କରାଯିବ । ଏହା ଦ୍ୱାରା ସେମାନେ ଡିଜିଟାଲ୍ ଯୁଗରେ ସୁରକ୍ଷିତ ରହିପାରିବେ ।

Leave A Reply

Your email address will not be published.