ଗୁଗଲ୍‌ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ

ଭୁବନେଶ୍ୱର : ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସ ନୂଆ ପନ୍ଥା ଆପଣାଇଛି । ଗୁଗଲ ମ୍ୟାପିଂ ଦ୍ୱାରା ଅଭିଯୁକ୍ତଙ୍କୁ ସହଜରେ ଚିହ୍ନଟ କରିବା ସହ ଧରିବାକୁ ଯୋଜନା ହୋଇଛି । ଏନେଇ ଗୁଗଲ୍‌ ଆପ୍ଲିକେସନ୍‌ରେ କ୍ରାଇମ୍‌ ମ୍ୟାପିଂ ଟେକ୍‌ନିକ୍‌କୁ ଆପଣାଯିବା ସହ ବିଭିନ୍ନ ଟେଲିକମ୍‌ ସଂସ୍ଥାର ସାହାଯ୍ୟ ନେବ ପୋଲିସ । ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ ଓ ଲୁଟ୍‌ ଘଟଣାକୁ ଗୁରୁତ୍ୱ ଦିଆଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବୁଧବାର ସୂଚନା ଦେଇଛନ୍ତି । ଏହାଦ୍ୱାରା ଅଭ୍ୟାସଗତ ଅପରାଧୀ ଓ ଲୁଟେରାଙ୍କ ଗତିବିଧି ଉପରେ ନଜର ରହିବ । ଏଥିରେ ୟୁନିଫାଏଡ୍‌ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରର ସବୁଠୁ ବଡ ଅବଦାନ ରହିବ । ସ୍ମାର୍ଟସିଟି ତରଫରୁ ରାଜଧାନୀରେ ଅନେକ କ୍ୟାମେରା ଲଗାଯାଇଛି । ଉକ୍ତ ସେଣ୍ଟରରୁ ପ୍ରଥମେ ସିସିଟିଭି ଫୁଟେଜ୍‌ ହସ୍ତଗସ୍ତ କରାଯିବ । ଏହାପରେ ଆର୍ଟିଫିସିଆଲ୍‌ ଇଣ୍ଟିଲିଜେନ୍ସ (ଏଆଇ)ର ସହାୟତାରେ ଏହାର ଫିଡ୍‌କୁ ବିଶ୍ଲେଷଣ କରାଯିବ । ତେବେ ଏଥିରେ ଗୁଗଲ୍‌ ଟ୍ରାକିଂ ବୋଲି କିଛି ନାହିଁ ବରଂ ଅପରାଧଟାକୁ ଗୁଗଲ ମ୍ୟାପ୍‌ରେ ପକାଇ ଏହାର ବିଶ୍ଲେଷଣ କରି ପରବର୍ତ୍ତୀ ସମୟରେ ଅପରାଧୀଙ୍କୁ ଧରାଯାଇ ପାରିବ ବୋଲି କମିଶନର ପ୍ରିୟଦର୍ଶୀ କହିଛନ୍ତି । ସୂଚନାଯୋଗ୍ୟ, ତଦନ୍ତରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ମଙ୍ଗଳବାର କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.