ଅଟୋ-ବାଇକ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର, ଚାରି ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରିରେ ଏକ ଅଟୋ ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ଥିବା ବେଳେ ଚାରି ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ, କଳିଙ୍ଗା ଆଡୁ ଘୁ. ଉଦୟଗିରିକୁ ଓଡି-୧୨-ବି-୦୧୨୪ ନମ୍ବର ବିଶିଷ୍ଟ ଏକ ଅଟୋ ଦ୍ରୁତଗତିରେ ଆସୁଥିବା ବେଳେ ଘୁ. ଉଦୟଗିରିରୁ ପଦାସାହି ଯାଉଥିବା ଏକ ବାଇକ ମଧ୍ୟରେ ଧକ୍କା ହେଇଥିଲା, ଯାହା ଫଳରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଘୁ.ଉଦୟଗିରି ପଦାସାହି ନିବାସୀ ବିଶାଳ ପଟ୍ଟନାୟକ(୨୪) ନିଜ ଘରକୁ ଯାଉଥିଲେ । ସେହି ସମୟରେ ସଙ୍ଖସାହି ନିକଟରେ ଉଭୟ ମୁଁହାମୁଁହି ଧକ୍କା ହୋଇଥିଲା । ସୂଚନା ଅନୁସାରେ ଅଟୋଟି ଦ୍ରୁତ ଗତିରେ ଆସୁଥିବା ବେଳେ ସମ୍ମୁଖରେ ଏକ କୁକୁର ଅତିକ୍ରମ କରିବା ଦ୍ୱାରା ଅଟୋ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ଥିଲେ ଏବଂ ରାସ୍ତାର ଡାହାଣ ପାର୍ଶ୍ୱକୁ ମୋଡିଥିଲେ । ଠିକ୍‌ ସେହି ସମୟରେ ବାଇକ ଚାଳକ ଆସୁଥିବା ବେଳେ ଅଟୋ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିଲା ଓ ଅଟୋଟି ରାସ୍ତା କଡ଼ରେ ଓଲଟି ପଡିଥିଲା । ଅଟୋରେ ବସିଥିବା ୪ ଜଣ ଆହତ ହୋଇଥିଲେ ସେମାନଙ୍କ ମଧ୍ୟରୁ ସିତାମଣି କର(୫୦) ନନ୍ଦଗିରି ସ୍କୁଲର ଶିକ୍ଷୟତ୍ରୀ ଗଭୀର ଆଘାତ ହୋଇଥିଲେ ଓ ଅଟୋ ଡ୍ରାଇଭର ରାଜୀବ ଲୋଚନ ପ୍ରଧାନ(୩୪) କଳିଙ୍ଗା ନିବାସୀଙ୍କର ମୁଣ୍ଡରେ ଓ କାନ୍ଧରେ ଆଘାତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଲୋକମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଏବଂ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ବାଇକ ଚାଳକ ବିଶାଳ ପଟ୍ଟନାୟକଙ୍କୁ ବ୍ରହ୍ମପୁରକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ଡାହାଣ ହାତ ଓ ଗୋଡ଼ ଫେକ୍‌ଚର ହୋଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅନ୍ୟ ଜଣେ ଶିକ୍ଷୟିତ୍ରୀ ସୀତାମଣି କରଙ୍କର ମଧ୍ୟ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ସାମାନ୍ୟ ଆହତ ହେଲେ ମମତା ପ୍ରଧାନ (୨୮) ଡକରିଙ୍ଗିଆ, କୁନ୍ତୀ ପ୍ରଧାନ (୬୦) କଳିଙ୍ଗା, ସେମାନଙ୍କୁ ଘୁ. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

Leave A Reply

Your email address will not be published.