
ଲୋଇସିଂହା, (ବିମଳେନ୍ଦୁ ସାହୁ) : ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାକୁ ତ୍ୱରିତ ସମାଧାନ କରିବା ଲକ୍ଷ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ‘ଗାଁରେ ପ୍ରଶାସନ’ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ପ୍ରାୟ ୮୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଅଭିଯୋଗ ଗୁଡ଼ିକର ସମାଧାନ ସକାଶେ ବ୍ଲକ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ଅକ୍ଷୟ ପାଣି ଉଡୁ ପ୍ରକାଶ କରିଛନ୍ତି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଶ୍ରୀ ଉଡୁ, ତହସିଲଦାର ସଂଘମିତ୍ରା କାଲୋ, ଜିପିଇଓ କିଶୋର ଚନ୍ଦ୍ର ମାନସିଂହ, ପିଏ ରାଜେନ୍ଦ୍ର ବାବୁ, ଯୋଗାଣ ଅଧିକାରୀ ସୌମ୍ୟରଞ୍ଜନ ମହାନନ୍ଦ, ସିଡ଼ିପିଓ ଗାୟତ୍ରୀ ବାରିକ, ବିଏସ୍ଏସ୍ଓ ଆଶା ପଧାନ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିଥିଲେ । କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ପଞ୍ଚାୟତ କର୍ତ୍ତୃପକ୍ଷ ସମସ୍ତ ସହଯୋଗ କରିଥିଲେ ।