om academy

ମିଡ଼ିଆ କ୍ଲବ ପକ୍ଷରୁ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର ଅନୁଷ୍ଠିତ

jsm
  • ଜନପ୍ରତିନିଧିଙ୍କ ଅଭିମୁଖ୍ୟ ବଦଳିଲେ ବିକାଶ ତ୍ୱରାନ୍ୱିତ ହେବ

ରାଉରକେଲା, (ସସ୍ମିତା ପ୍ରଧାନ) : ଜନପ୍ରତିନିଧିଙ୍କ ଅଭିମୁଖ୍ୟର ପରିବର୍ତ୍ତନ ହେଲେ ବିକାଶ ଜନାଭିମୁଖୀ ହେବ । ନିଜ ସ୍ୱାର୍ଥ ଛାଡି ଜନସାଧାରଣଙ୍କ ବାସ୍ତବ ସମସ୍ୟା ପ୍ରତି ଜନପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି । ରାଉରକେଲା ମିଡ଼ିଆ କ୍ଲବ ପକ୍ଷରୁ ରବିବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ ସୋଲେସ ପରିସରରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ବକ୍ତାମାନେ ଏହି ମନ୍ତବ୍ୟ ଦେଇଥିଲେ । ଜିଲ୍ଲା କିମ୍ବା ରାଜ୍ୟର ଆନୁସଙ୍ଗିକ ବିକାଶ ସହ ଜନସାଧାରଣଙ୍କ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶର ଆବଶ୍ୟକତା ରହିଛି ବୋଲି ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ନବନିର୍ବାଚିତ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀର ବିଧାୟକ ଦୁର୍ଗା ଚରଣ ତନ୍ତୀ, ବିରମିତ୍ରପୁରର ବିଧାୟକ ରୋହିତ ଜୋସେଫ ତୀର୍କୀ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲବ ପକ୍ଷରୁ ସେମାନଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କ୍ଲବର ଉପଦେଷ୍ଟା ଡ. ପୀତବାସ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ କ୍ଲବର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସଂଚାଳନ କରିଥିଲେ । ଉପସଭାପତି ନିରଞ୍ଜନ ଦାସ ମିଡ଼ିଆ କ୍ଲବ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ସ୍ୱାଗତ ଭାଷଣ ରଖିଥିଲେ । ରାଉରକେଲା ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାଉରକେଲାର ବିକାଶ ପ୍ରକ୍ରିୟା ଜାରି ରହିବ, ଏଥିରେ ସମସ୍ତଙ୍କ ସହଭାଗିତା ରହିଲେ ସଫଳତା ନିଶ୍ଚିତ ବୋଲି ମତ ରଖିଥିଲେ । ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରଘୁନାଥପାଲ୍ଲୀ ରାଉରକେଲାର ଅଂଶବିଶେଷ । ସମସ୍ତେ ଚାହୁଁଛନ୍ତି ବିକାଶ । ବିକଶିତ ରଘୁନାଥପାଲ୍ଲୀ ତାଙ୍କର ଲକ୍ଷ୍ୟ ଓ ସେ ଏଦିଗରେ ତାଙ୍କର ପ୍ରଚେଷ୍ଟ ଜାରି ରଖିବେ ବୋଲି କହିଥିଲେ । ବିରମିତ୍ରପୁର ବିଧାୟକ ଶ୍ରୀ ତିର୍କୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଅଞ୍ଚଳ ବାସୀଙ୍କ ଆଶୀର୍ବାଦରୁ ସେ ପ୍ରଥମ କରି ବିଧାୟକ ହେବାର ସୌଭାଗ୍ୟ ପାଇଛନ୍ତି । ବିକାଶ ଏକ ପ୍ରକ୍ରିୟା । ଖଣି ଖାଦାନ ଓ ନିଯୁକ୍ତିକୁ ଗୁରୁତ୍ୱ ଦେବେ ବୋଲି ସେ କହିଥିଲେ । ଏହି ଅବସରରେ ଧୀରେନ ସେନାପତି, ସୁଦାମ ଦାସ ଓ ସତ୍ୟାନନ୍ଦ ବେହେରା ପ୍ରମୁଖ ସାମାଜିକ ପ୍ରତିବଦ୍ଧତା, ଜନପ୍ରତିନିଧିଙ୍କ ଦାୟିତ୍ଵବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଡ. ମିଶ୍ର ନବନିର୍ବାଚିତ ବିଧାୟକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁନ୍ଦରଗଡ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା ତଥା ବିଏସ୍‌ଏଲ୍‌ର ପୁନରୁଦ୍ଧାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଉପଦେଷ୍ଟା ବୈଦ୍ୟନାଥ ମିଶ୍ର ବେଦବ୍ୟାସକୁ ପର୍ଯ୍ୟଟନ ସ୍ଥଳୀ ଓ ଖଣ୍ଡାଧାର ପର୍ଯ୍ୟନ୍ତ ଏକ ପର୍ଯ୍ୟଟନ କରିଡର କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ରୀନା କଦମ୍ବାଲ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଶୁଭଶ୍ରୀ ଦାସ, ମୋନାଲିସା ଗୌଡ, ନୀଲମ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ହୃଷିକେଶ ନାଏକ, ଲତିକା ପଟ୍ଟନାୟକ, କୁମାର ବେହେରା, ଡ. ସୁବାସ ଲେଙ୍କା, ଗଙ୍ଗାଧର ଦସ, ପୁଷ୍ପା ଲେଙ୍କା, ବନ୍ଦିତା ମାହାତୋ, କାମିନୀ ମହନ୍ତ, ଅକ୍ଷୟ ଧଳ, ନଳିନୀକାନ୍ତ ଧରଙ୍କ ସମେତ ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.