om academy

ମ୍ୟୁଜିକ ସର୍କଲରେ ପ୍ରଥମ ରଜ ଉତ୍ସବ ଅନୁଷ୍ଠିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ତରଫରୁ ପ୍ରଥମ କରି ରଜ ଉତ୍ସବ ନିଜସ୍ୱ ମେହେର ଭବନ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହ କହିଲେ ଯେ, ରଜ ଉତ୍ସବ ହେଉଛି ଗଣପର୍ବ । ପ୍ରକୃତି ଓ ମାନବ ସମାଜରେ ପ୍ରଚଳିତ କାର୍ଯ୍ୟପନ୍ଥାକୁ ନେଇ ଏହି ପର୍ବ ପାଳନ ହୋଇଆସୁଛି । ସଂସ୍କୃତି ଓ ପରମ୍ପରାର ଅପୂର୍ବ ମିଳନ ଏହି ରଜପର୍ବ କେବଳ ଗ୍ରାମାଞ୍ଚଳରେ ସିମୀତ ନରହି ଏବେ ସହରାଭିମୁଖୀ ହୋଇଛି । ଅନୁଷ୍ଠାନର ମୁଖ୍ୟ ଅଳକା ଚାନ୍ଦଙ୍କ ଦିଗଦର୍ଶନରେ ଏଭଳି କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଶ୍ରୀ ନାୟକ ଆଶାବ୍ୟକ୍ତ କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ଇଂ ଦାସ ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର ସାଂସ୍କୃତିକ ପ୍ରତି ପ୍ରତିବଦ୍ଧତା ଓ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଅଳକା ଚାନ୍ଦଙ୍କ ଦ୍ୱାରା ଲିଖିତ ଓ ସୁଦେଷ୍ଣାରାଣୀ ରାଉତଙ୍କ ନିର୍ଦ୍ଦେଶନାରେ ମ୍ୟୁଜିକ ସର୍କଲର ଛାତ୍ରୀମାନେ ନୃତ୍ୟ ନାଟିକା ପରିବେଷଣ କରିଥିଲେ । ଏଥିରେ ସନ୍ତୋଷ ମଲ୍ଲିକଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା । ସେହିପରି ରଜ ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ରଙ୍ଗୋଲି, ଝୋଟି, ରାଜକୁମାରୀ, ରାମ୍ପ ସୋ, ପୁଚି, ସାଧାରଣଜ୍ଞାନ ଓ ଓଡ଼ିଆଣୀ ବୋହୁ ପ୍ରତିଯୋଗିତା କରାଯାଇ ସେଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବେ ବିଜୟାଲକ୍ଷ୍ମୀ ପଟ୍ଟନାୟକ, ଡ. ଗୀତାଞ୍ଜଳି ପତ୍ରୀ, ରଶ୍ମିବାଳା ରାଉତରାୟ, ଦେବେନ୍ଦ୍ର ମହାରଣା ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ଏହାସହ ସୁସଜ୍ଜିତ ଦୋଳିର ମଜ୍ଜା ଉଠାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟଶ୍ରୀ ଦାସ, ସୁଶାନ୍ତ କୁମାର ନାୟକ, ମନୋରଞ୍ଜନ ଦାଶ, ସ୍ନେହଲତା ନାୟକ, ବିବେକାନନ୍ଦ ପଣ୍ଡା, ସନ୍ତୋଷ ମଲ୍ଲିକ, ଅଳକାନନ୍ଦା ରଥ, ଗୁଡିଆ କଂସାରୀ, ଅନିନ୍ଦିତା ମାଇତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.