
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟପାର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ କ୍ରୀଡାର ବିକାଶ ପାଇଁ ଏକ ଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସ୍ଥାନୀୟ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ “ବିଧାୟକ ଖେଳକୁଦ ଉତ୍ସବ -୨୦୨୫” ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬୫ଟି ଗ୍ରାମ ପଂଚାୟତର ଯୁବ ଫୁଟବଲ ଖେଳାଳିମାନଙ୍କୁ ନେଇ ଏକ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ତନ୍ମଧ୍ୟରୁ ଚମ୍ପିୟନ ଦଳକୁ ଚୟନ କରାଯାଇ ପ୍ରଥମେ ଜିଲ୍ଲା ଓ ପରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ କରାଯିବ ବୋଲି ଜଣାଯାଇଛି । ଏହି ପରିପେକ୍ଷୀରେ ସ୍ଥାନୀୟ ନଅଗାଁ (ଖ) ହାଇସ୍କୁଲ ସ୍ଥିତ ଖେଳ ପଡିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ନଅଗାଁ ଓ କୁଶଙ୍ଗ ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ କୁଶଙ୍ଗ ଦଳ ନଅଗାଁକୁ ୨-୧ ଗୋଲରେ ହରାଇ ବିଜେତା ହୋଇଥିଲା । ହଜାର ହଜାର ଦର୍ଶକଙ୍କ ଗହଣରେ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ପରିଚାଳନା କ୍ରମେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଡ଼. ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଗଲପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ଥନାପତି, ଲଳିତ ମୋହନ ସାହୁ, ପୂର୍ବତନ ଖେଳାଳି ମିନକେତନ ମହାଲିଙ୍ଗ, ନଗର ହରପାଳ, ଦେବରାଜ ବିଶ୍ୱାଳ ପ୍ରମୁଖ ମଞ୍ଚାସିନ ଥିଲେ । ସୁରେଶ ନାଏକ, ରଂଜିତ କୁଅଁର, ରଘୁନାଥ ମେହେର ପ୍ରମୁଖ ମ୍ୟାଚ ପରିଚାଳନା କରିଥିବା ବେଳେ ସୀତାରାମ ପଧାନ ଓ ଦିଲୀପ ଧରୁଆ ସହଯୋଗ କରିଥିଲେ । କରୁଣାକର ବିଶ୍ୱାଳ ଧାରା ବିବରଣୀ ପ୍ରଦାନ କରିଥିଲେ ।